Unknown

 

 

 

 

 

 

 

 

 

 

କେଳି-କଳା-ନିଧି

ବ୍ରଜନାଥ ବଡ଼ଜେନା

 

ସୂଚୀପତ୍ର

 

ପ୍ରଥମ ଛାନ୍ଦ

ଦ୍ୱିତୀୟ ଛାନ୍ଦ

ତୃତୀୟ ଛାନ୍ଦ

ଚତୁର୍ଥ ଛାନ୍ଦ

ପଞ୍ଚମ ଛାନ୍ଦ

ଷଷ୍ଠ ଛାନ୍ଦ

ସପ୍ତମ ଛାନ୍ଦ

ଅଷ୍ଟମ ଛାନ୍ଦ

ନବମ ଛାନ୍ଦ

୧୦

ଦଶମ ଛାନ୍ଦ

୧୧

ଏକାଦଶ ଛାନ୍ଦ

୧୨

ଦ୍ୱାଦଶ ଛାନ୍ଦ

୧୩

ତ୍ରୟୋଦଶ ଛାନ୍ଦ

୧୪

ଚତୁର୍ଦ୍ଦଶ ଛାନ୍ଦ

୧୫

ପଞ୍ଚଦଶ ଛାନ୍ଦ

୧୬

ଷଷ୍ଠଦଶ ଛାନ୍ଦ

 

ପ୍ରଥମ ଛାନ୍ଦ

ଆଦ୍ୟ ଯମକ

(ରାଗ-ମଙ୍ଗଳ ଗୁଜ୍ଜରୀ)

 

ଜୟ ଜୟ ବୃନ୍ଦାବନ-ଗଗନ-ଚନ୍ଦ୍ରମା

ବିଧୁ ବିଧୂତ-କଲ୍ମଷ ସର୍ବ ସୁଖ-ସୀମା ହେ ।୧।

 

ରାଧା ରାଧା-ପତି-ମୁଖ ଚୁମ୍ବନ ଲାଳସ

ବଂଶୀ-ବଶୀ-କରଣ-ପ୍ରବୀଣ ପୀତବାସ ହେ ।୨।

 

ନନ୍ଦ-ନନ୍ଦନ ଗୋପିକା-ହୃଦୟ-ଚନ୍ଦନ

କୁନ୍ଦ କୁନ୍ଦ-ହୀରା ତୋରା ସୁନ୍ଦର ରଦନ ହେ ।୩।

 

ବ୍ରଜ-ବ୍ରଜ-ତାରକା-ନିଚୟ ନିଶା-ଈଶ

ସୁରା-ସୁରାର୍ଚ୍ଚିତ-ପଦ ବିପଦ ବିନାଶ ହେ ।୪।

 

ନାଗ-ନାଗ-ଦଳନ କମଳ-ଦଳ-ନେତ୍ର

ହର, ହର-ପୂଜ୍ୟ ପାପ, ଖଗ-ରାଜ-ପତ୍ର ହେ ।୫।

 

 

ସୁର ସୁରସିକମାନେ ଅଙ୍ଗୀକାର କର

ସାର-ସାରସ ଚରଣେ ବନ୍ଦୁଛି ତୁମ୍ଭର ହେ ।୬।

 

ପର ପରମ ମିତ୍ରରେ ତୁମ୍ଭେ ସମମନ

ତର ତରଳିତ ହୋଇ ଅଳ୍ପଗୁଣ ଘେନ ହେ ।୭।

 

ଆଗ ଆଗ ଗ୍ରହଣ କରନ୍ତି ଖଳମାନେ

ନାଗ ନାଗ ସେ ତ ଜ୍ଞାନ-ଅଙ୍କୁଶ ବିହୀନେ ହେ ।୮।

 

ସ୍ଵତଃ ସ୍ଵତନ୍ତ୍ର ସେ ପର-ପୀଡ଼ା-କ୍ରୀଡ଼ା-କର୍ମେ

ନାହିଁ ନାହିଁ ଭୟ ଯା ଉଭୟ ଲୋକ ଧର୍ମେ ହେ ।୯।

 

ସଦା ସଦାନନ୍ଦନାଶ ବିଷୟେ ତ୍ଵରିତ

କୁଳକୁ ଲଜ୍ଜିତ କର୍ମ କରଣେ ସମର୍ଥ ହେ ।୧୦।

 

ଧର ଧରଣୀର ନୁହେ ତାଙ୍କ ପରି ଭାର

ପର ପରମ୍ପରା କ୍ରମେ ସଜ୍ଜନେ ତାଙ୍କର ହେ ।୧୧।

 

ମହତ୍ତମହତରୁ ସାଧବେ ପୂର୍ଣ୍ଣଶଶୀ

ବିଗ୍ରହ ବିଗ୍ରହ ବୁଧ-ଆନନ୍ଦାଭିଳାଷୀ ହେ ।୧୨।

 

ସୁଖରେ ସୁଖରେ ପୁଣି ବିହାର କରନ୍ତି

ତାରକା-ତାରକା-ମୋଦ-ପ୍ରଦ ସର୍ବପ୍ରୀତି ହେ ।୧୩।

 

ସେହିତ ସେହିତ ଗୁଣୀ ଚକୋର ନିକରେ

ସଙ୍ଗୀତ ସଙ୍ଗୀତାଭିଜ୍ଞ ଧାର୍ଯ୍ୟ ମହେଶ୍ଵରେ ହେ ।୧୪।

 

ଶ୍ରବଣ, ଶ୍ରବଣ ମନଦେଇ ଏବେ କର

ଅଶେଷ ଅଂଶେ ସଂଯୁତ ଏ ଗୀତ ପ୍ରକର ହେ ।୧୫।

 

ପ୍ରବନ୍ଧ ପ୍ରବନ୍ଧ ଏ ମୋ ବହୁ ରସାଶ୍ରୟ

ସାର ସଂସାର ସମ୍ମତ ଗଭୀର ଆଶୟ ହେ ।୧୬।

 

ମତ୍ସମ ମତ୍ସ-ମଜ୍ଜନ ହୋଇ ସୁଖ ପାନ୍ତି

ବିଶ୍ରଦ୍ଧ ବିଷଧର ଯେ ପଶି ନ ପାରନ୍ତି ହେ ।୧୭।

 

ସୁପ୍ରଭାଂଶୁ-ପ୍ରଭା ନାମେ ଅଛି ଏକ ପୃଥ୍ଵୀ

ଉତ୍ତରେ ଉତ୍ତରେ ତାର କହି ନୋହେ କୀର୍ତ୍ତି ହେ ।୧୮।

 

ଅଳକା ଅଳଙ୍କାର ସେ ରାଜ-ରାଜେ ଶୋଭା

ରଜତର ଯତନ ମନ୍ଦିର ଚନ୍ଦ୍ର-ପ୍ରଭା ହେ ।୧୯।

 

ସୁବର୍ଣ୍ଣ ସୁବର୍ଣ୍ଣପୁରୀ ଲଙ୍କା ସମାନରେ

ସକଳ ସଂକଳନ ଅକଳନ ସେ ନରେ ହେ ।୨୦।

 

ରାଜା ଯେ ରାଜା ଯେମନ୍ତେ ଶରଦେ ସୁନ୍ଦର

ନନ୍ଦନ ନନ୍ଦନ-କର ସର୍ବ ପ୍ରାଣୀଙ୍କର ହେ ।୨୧।

 

ମହୀରାମ ହୀରା ସେ ଶୋଭାରେ ସୁମନସ

ସୁମନା ସୁମନାମ୍ବୁଜ ବିକାଶକୁ ହଂସ ହେ ।୨୨।

 

ବିରସେ ବୀର ସେ ବଳ ପ୍ରତାପ ଶୁଣିଲେ

ଶରମୁ ଶର-ମୁଦ୍ଗର-ଖଡ୍ଗ ନ ବହିଲେ ହେ ।୨୩।

 

ସଦାନେ ସଦା ନେବାରେ ବିପ୍ର-ଗୁଣୀ-ଭାଟ

ଯଶ ତେଜ ସତେ ଶତେ ରାଜ୍ୟେ କଲେ ସ୍ଫୁଟ ହେ ।୨୪।

 

ବିଭାର ବିଭାର ଘେନି ନୃପ ତ୍ଵରା ହୋଇ

ଚାର ସଂଚାର ସକଳ ଦେଶକୁ କରାଇ ହେ ।୨୫।

 

ସ୍ଵରୂପ ସ୍ଵରୂପ ତାର ଲେଖି ଚିତ୍ରକର

ପଟଳେ ପଟ୍ଟ ଲେଖିଣ ଦେଲେ ଚାର କର ହେ ।୨୬।

 

ହୃଦରେ ହୁନ୍ଦରେ ଦେଖି ଲେଖିଲା କେ ବାଳା

ତରଳ-ତର ଲବଣୀ ପ୍ରାୟେ କେ ହୋଇଲା ହେ ।୨୭।

 

ସୁମନା ସମନା-ଶୁଗେ କେହି ଛନ୍ନ ହୋଇ

ବାତୁଳେ ବା ତୂଳେ ହେଲା କେଉଁ ଚନ୍ଦ୍ର ମୁହିଁ ।୨୮।

 

ବିକାଶ ବିକାଶ ହାସରେ କେ ରାମା ଭଣେ

ଏ ପୁରୁ ଏ ପୁରୁଷ ବାହାର ଶୋଭାଗୁଣେ ହେ ।୨୯।

 

ଭାଳେ କେ ଭାଲେ କେବଳ କର ମାରି ମାରି

ଦାସୀ ତଦାଶ୍ରିତ ହୋଇ କେ ମନେ ବିଚାରି ହେ ।୩୦।

 

ବିଚାରେ ବିଚାରେ ଖୋଜି ଖୋଜି ରାଜ୍ୟପୁରୀ

ସୁଷମା ସୁ-ସମା ବାମା ନ ମିଳିଲା ନାରୀ ହେ ।୩୧।

 

ପ୍ରକଟ ପ୍ରକଟକେ ନାମ ତା ମୋତି-ମାଳୀ

ରସାର ରସାଳୟ ସେ ସର୍ବ ସୁଖ-ସ୍ଥଳୀ ହେ ।୩୨।

 

ଧନେଶ ଧନେ ସମାନ ଲୋକମାନେ ତହିଁ

ଧରିତ୍ରୀ ଧର ତ୍ରିବର୍ଗ ମୂର୍ତ୍ତିବନ୍ତ ଯହିଁ ହେ ।୩୩।

 

ନୃପତି ନୃପତି ତାରାଗଣେ ଚନ୍ଦ୍ର ସମ

ସୁରଥୀ ଶୂରଥିର ଯେ କୃପାନିଧି ନାମ ହେ ।୩୪।

 

ତାର-ସୁତା ତାର-ସୁ-ତାରକା-ପତି-ମୁହୀଁ

ଅପସରୀ ଅପସରି ଯିବେ ଶୋଭା ଚାହିଁ ହେ ।୩୫।

 

ଜାତକର ‘ଜାତକ-ରହସ୍ୟ’ ନାମ ସିଦ୍ଧି

ଜନକ ରଞ୍ଜନଙ୍କରକେଳି-କଳା-ନିଧି’ ହେ ।୩୬।

 

ସୁର ମଣି ସୁ-ରମଣୀ ମୁଖକୁ ଦେଖିବେ

ଶଚୀ ତେଜି ସଚ୍ଚିତ୍ତେ ଜୀବନ ସମର୍ପିବେ ହେ ।୩୭।

 

ଆନନରେ ଆନନରେ ଦେବା କି ଉପମା

କଳା-କରେ କଳା-କରେ ନାହିଁ ଯା ସୁଷମା ହେ ।୩୮।

 

ଆଦରଶେ ଆଦର-ସେ କାନ୍ତିରୁ ନୋହିବ

କେଶେ ତାର କେ-ସେ ତାର ଘନ ଲକ୍ଷ୍ୟ ଦେବ ହେ ।୩୯।

 

ବି-ସାରସ ବିସାର ସମାନ ନେତ୍ରେ ନୋହେ

ପରକାଶ ପର-କାଶ-କାନ୍ତି ହାସ ବହେ ହେ ।୪୦।

 

ରୂପ ଅନୁରୂପ ଅନୁ-ଆନ ସର୍ବାଂଶରେ

ସମ ତହିଁ ସମ୍ମତହିଁ ହେଲା ପରସ୍ପରେ ହେ ।୪୧।

 

ନବ-ରସା ନବର ସାଇରୁ ତୋଳି ପାଣି

ଆଣିଲେ ସେ ଆଣି-ଲେଶେ କେ ପାରିବ ଭଣି ହେ ।୪୨।

 

ସୁର ଜନେ ସୁରଞ୍ଜନେ ତିଥି ଲଗ୍ନ ଯୋଗେ

ବିଭା-ବରୀ ବିଭା ବରି କଲେ ଅନୁରାଗେ ହେ ।୪୩।

 

କୁଶେ-ଶୟ କୁଶେ ଶୟ ବର କନ୍ୟାଙ୍କର

ବିଧି ବରେ ବିଧିବରେ ବାନ୍ଧିଲେ ସତ୍ଵର ହେ ।୪୪।

 

ଅଦ୍ଵିତୀୟ ଅଦ୍ଵିତୀୟ କରି ହୋମ କଲେ

ରମଣୀ ଏ ରମଣୀୟେ ଅତି ବନ୍ଦାଇଲେ ହେ ।୪୫।

 

ପରଭାବେ ପରଭାବେ ଭାର ଯଉତୁକ

ବିତରଣୁ ବିତଇ ନୁହଇ ସଂଖ୍ୟା ଲୋକ ହେ ।୪୬।

 

ବାଜୀବାରେ ବାଜୀବାରେ ବାଦ୍ୟ କମ୍ପେ ମହୀ

ପଥ ରଜେ ପଥର ଯେ ପଦାଘାତେ ହୋଇ ଯେ ।୪୭।

 

ବଂଧୁ ଜୀବ ବଂଧୁଜୀବ-ଅଧରୀକି ଧରି

ସ୍ନେହରସେ ସେ ହରଷେ ଗଲେ ନିଜ ପୁରୀ ହେ ।୪୮।

 

ନିରବଧି ନୀରବ-ଧୀ ବାଳାଠାରେ ଦେଇ

ସହଚରୀ ସହ ଚରିତକୁ ତା ପୁଚ୍ଛଇ ହେ ।୪୯।

 

ସରସିଜ-ଶର-ଶ୍ରୀ-ଯତନ-ନେତ୍ର ଦ୍ୟୁତି

ରସି କହେ ରସିକ ହେବାକୁ ମୋଦ ମତି ହେ ।୫୦।

 

ସୁ-ରଚିତ ସୁର-ଚିତ୍ତ ମୋହେ ଏ ମୋ ଗୀତ

ବ୍ରଜନାଥ ବ୍ରଜନାଥ ଚିନ୍ତେ ଅବିରତ ହେ ।୫୧।

 

୧| ରାଧାପତି=ଚନ୍ଦ୍ର । ରାଧା ରାଧାପତି ମୁଖ=ରାଧାଙ୍କର ଚନ୍ଦ୍ରମପଖ ।

 

୨| ସାର=ଶ୍ରେଷ୍ଠ ସାରସ=ପଦ୍ମ ।

 

୩। ଅର୍ଥ-ପ୍ରବନ୍ଧ (ପ୍ର+ବନ୍ଧ) । ପ୍ର=ଉତ୍କୃଷ୍ଟ । ବନ୍ଧ=ପୋଖରୀ (ଦେଶଜ=ବଡ଼ ପୋଖରୀ) ।

 

୪। ପଟଳ=ଚିତ୍ରଫଳକ ପ୍ରବନ୍ଧ=କବିତା ଓ ଉତ୍କୃଷ୍ଟ (ଉତ୍କୃଷ୍ଟ କବିତା) ।

 

୫। ଅନୁଆନ (ଦେଶଜ )=ଅତୁଳନୀୟ ।

 

୬। ଆଣି=ଠାଣି, ଟେକ, ସୌନ୍ଦର୍ଯ୍ୟ ।

 

୭। କୁଶେଶୟ=ବ୍ରାହ୍ମଣ । କୁଶେ=କୁଶଦ୍ଵାରା । ଶୟ=ହସ୍ତ ।

 

୮। ଅଦ୍ଵିତୀୟ=ବ୍ରାହ୍ମଣ; ଅତୁଳନୀୟ ।

 

‘କେ-ସେ ’କୁ ‘କେଶେ ’ ପାଠନ୍ତର ଗ୍ରହଣ କଲେ କ୍ରିୟା ‘ଦେବ’ ସ୍ଥାନରେ ‘ହେବ’ ସ୍ଥାନରେ ହେବ । କେଶେର ଅର୍ଥ ବାଳ ପରିମାଣ ବା ରେଣୁ ପରମାଣ ।

 

ପାଠାନ୍ତର :-କେଶେ ତାର କେ-ସେ ତାର ଘନଲକ୍ଷ୍ୟ ହେବ । ପାଠାନ୍ତରରେ ଗ୍ରହଣ କରାଯିବ ।

 

ତାର ଘନ=ଉତର ମେଘ ବା କଳାମେଘ ।

 

ପାଠାନ୍ତର=(ରସୀ କହେ ରସିକ ହେବାକୁ ମୋଦ ମତି ) ।

 

ଏହି ପାଠାନ୍ତର ଗ୍ରହଣ କଲେ “ରସୀ” ର ଅର୍ଥ ରସଜ୍ଞା ବା ତତୁରୀ କରିବାକୁ ହେବ ।

 

“ରସୀକହେ” ଗ୍ରହଣ କଲେ “ସେ” ଊହ୍ୟ କର୍ତ୍ତା ଧରିବାକୁ ହେବ । ନେତ୍ର ଦ୍ୟତିକୁ ‘କହେ’ ବା ‘ରସି’ ଅସମାପିକା କ୍ରିୟାର ଅଧିକରଣ କରି ଅନ୍ଵୟ କରାଯବ ।

***

 

ଦ୍ଵିତୀୟ ଛାନ୍ଦ

ଅବନା ନେତ୍ର ବର୍ଣ୍ଣନା

ରାଗ-ଅଷାଢ ଶୁକ୍ଳ

 

ଶ୍ରବଣ କରତ ନୃପ ନନ୍ଦନ

ଜଗଜ୍ଜନ ମନ ହର ନୟନ

ରଙ୍ଗ ତରଙ୍ଗ ଖଞ୍ଜନ ଗଞ୍ଜନ

ତଋଣ ବର ଗରବ ଗଞ୍ଜନ

ଅତ୍ୟନ୍ତ ରଞ୍ଜନ

ତପବନ୍ତ-ବର ତପ-ଭଞ୍ଜନ ।୧।

 

ବଦନ କମଳ ପର ଭ୍ରମର

ଦ୍ଵନ୍ଦ ମରନ୍ଦ ରସ ମତ୍ତଭର

ଅମୃତ କର ଅଙ୍କଗତମୃଗ

କଚ ତମ ଦରଶନ ତରଙ୍ଗ

ଅଥ କର୍ଣ୍ଣ-ଗର୍ତ୍ତ

ଅବ କଳନଋ ଚଞ୍ଚଳ ଆର୍ତ୍ତ ।୨।

 

 

 

ରଙ୍ଗ ଧବଳ କୃଷ୍ଣ ବର୍ଣ୍ଣଧର

ଅସମ-ଶର ରଣ ଜୟ ଶର

ତଋଣ-ଗଣ-ହୃଦ-ମର୍ମ-ରକ୍ତ

ଶସ୍ତ୍ର-ଅନ୍ତ-ଲଗ୍ନ କରଇ ବ୍ୟକ୍ତ

ଏ ଉତ୍ତଋଁ ତର୍କ

କୃଷ ବର୍ଣ୍ଣ ଜନ ଗଞ୍ଜନ-ପଙ୍କ ।୩।

 

ବଦନ ମଦନ ନୃପ ସଦନ

କପଟ ନୟନ ତ୍ରୟ ବରନ

ରଙ୍ଗ ରତନ ମର୍କତ ଅମଳ

ଅର୍ଣ୍ଣବ ଫଳ ଏ ତର୍କ ସଫଳ

ଦଗଧ ହୃଦୟ

ଏ ରତ୍ନଚୟ କରଇ ସଞ୍ଜୟ ।୪।

 

ଅଥ ଆନନ ମନମଥ ରଥ

ଗଣ୍ଡମଣ୍ଡଳ ଚକ୍ରଦ୍ଵୟ ସତ

ଓଷ୍ଠ ଅଧର ଅକ୍ଷ ଏ ପ୍ରତ୍ୟକ୍ଷ

ଦଶନ ରତନ ଘଟନ ଲକ୍ଷ

ମଣ୍ଡନ ବସନ

ପ୍ରସନ୍ନ ହସ ଅଞ୍ଜନ ରଞ୍ଜନ ।୫।

 

ଅଳକ ଝଲକ ରକନ ଗଣ

ଅବଜ ଅର୍କ ଝଟକ ଦର୍ପଣ

ନୟନ ତ ଏ ସ୍ୟନ୍ଦନ ଅମର

ପଲକ ଅଶ୍ଵ ଅତ୍ୟନ୍ତ ତତ୍ପର

ଚଳଇ ଚଞ୍ଚଳ

ଦର୍ପକ ଦର୍ପ କରଇ ପ୍ରବଳ ।୬।

 

ଜନମନ ମତ୍ସ୍ୟ ଧରଣ ସଜ

ରଚନ କରଇ ମକରଧ୍ଵଜ

ଅଞ୍ଜନ ତନ୍ତ ଅଷ୍ୟନ୍ତ କଣ୍ଟକ

ଦୃଶ୍ୟ ଅଣ୍ଡଜ-ଗ୍ରଥନ ଏ, ତର୍କ

ରକତ ବହଇ

କୃଷ୍ଣତ୍ଵ କଣ୍ଟକ ଋପ କହଇ ।୭।

 

ମତ୍ସ୍ୟର ସ୍ଵବରନ ତ ଧବଳ

ଆନନ ରସ ଖଣ୍ଡ ଗଣ୍ଡସ୍ଥଳ

ସ୍ତନ ପରବତ ସ୍ଥଳ ଦର୍ପକ

 

 

 

 

ପତନ କରଇ ମତ୍ସ୍ୟ କଣ୍ଟକ

ଅସଂଶୟ ଏ ତ

ସର୍ବ ମନ ମତ୍ସ୍ୟ ଏଥର ହତ ।୮।

 

ମୃଗ ମଦ ଚନ୍ଦ୍ର ରକ୍ତ ଚନ୍ଦନ

ଏକ ସ୍ଥଳସ୍ଥ ରସଜ୍ଞ ମଦନ

କରଇ ସ୍ତନ ମରଦନ ଆଶ

ନୟନ ବର୍ଣ୍ଣ ତ୍ରୟ ଏ ରହସ୍ୟ

ସର୍ବ ବର୍ଣ୍ଣ ଧର

ସତ୍ତ୍ଵ, ରଜ, ତମ ମୟ ଈଶ୍ଵର ।୯।

 

ତରୁଣ ଜନ ଧଇର୍ଯ୍ୟ ଖଣ୍ଡନ

ଆସକତ ତ ସନ୍ତତ ନୟନ

ଅମଙ୍ଗ ତରଙ୍ଗ ରଙ୍ଗ ଧରଇ

ହସ ରହସ ପ୍ରକଟ କରଇ

ଅଧବଳ ରକ୍ତ

ଧବଳ ବର୍ଣ୍ଣ ଲକ୍ଷଣ ବ୍ୟକତ ।୧୦।

 

 

 

ଏଣ ଖଞ୍ଜନ ମତ୍ସ୍ୟ ଜବରଙ୍ଗ

ରଣ ସଂଚରଣ ଅଶ୍ଵ ତରଙ୍ଗ

ଅମଳ କମଳ ପ୍ରସନ୍ନ ରସ

ଏ ତ୍ରୟ କର୍ମ କରଣଋ ଦୃଶ୍ୟ

ସ୍ମର ନର-ଇନ

ତ୍ରୟ ଜୟଋ ଦତ୍ତ ତ୍ରୟ ବର୍ଣ୍ଣ ।୧୧।

 

ହର ହୃଦୟ-ମର୍ମ-ଲଗ୍ନ-ଶର

ତଋଣ-ଗଣ-ତରଳ-ମନ୍ତର

ତପକର ଦମ୍ଭଧନ-ତସ୍କର

ବ୍ରତ-ସଂଯତ-ଧର-ବ୍ରଜଧର

ଏ ନୟନ ବର

ସ୍ମର-ସର୍ବସ୍ଵ-ସଞ୍ଚୟନ-ଘର ।୧୨।

 

ଆସ୍ୟ ମଣ୍ଡଳ ଦର୍ପକ-ଫଳକ

ନଜର ରନ୍ଦ୍ର-ବତ ଏକ ତର୍କ

ବଦନ ପଞ୍ଜର ଗତ ଗଞ୍ଜନ

ରତ୍ନସ୍ଥ ସଦନ ପର ମଦନ

ମୃଗ-ମଦ-ରସ

ଲକ୍ଷ ବତ ପରକଟ ଏ ଦୃଶ୍ୟ ।୧୩।

 

ଗରଳ ଅମୃତ ମୟ ଏ ସତ

ଅଙ୍ଗ ଅବଶ କରଇ ସତତ

ଏ ଉତ୍ତଋଁ ଯଉଁ ଆନନ୍ଦ ରସ

ଜନ୍ମ କରଇ ବଢ଼ଇ ହରଷ

ଦଣ୍ଡ ମଣ୍ଡ ନତ

ମନ୍ଦ ଭଲ ଏ ନୟନ ଆୟତ ।୧୪।

 

ଅଙ୍ଗ ମଙ୍ଗଳ ଦ୍ରବ୍ୟ ସଞ୍ଚୟନ

ଘଟଣସ୍ତନ ଘଟ ସଙ୍ଘଟନ

ମୃଗମଦ ରସ ପତ୍ର ରଚନ

ଆମ୍ରଦଳ, ହଂସ ମଦ ଗମନ

ଏ ମତ୍ସ ଉପମ

ହର-ପର-ଜୟ-କରଣ-କ୍ଷମ ।୧୫।

 

ଚନ୍ଦ୍ର ଅଙ୍କଗତ ନକ୍ଷତ୍ର ଦ୍ଵୟ

କନ୍ଦର୍ପ ମତ୍ତ ଅତ୍ୟନ୍ତ ଅସ୍ଥୟ

ପରସ୍ପର ଅମରକ୍ଷ ଜର୍ଜ୍ଜର

ପଲକ ଛଳ କଳହ ତତ୍ପର

 

 

ଆଦ୍ୟରତ ସ୍ପୃହ

ଅଳ୍ପ ଚଞ୍ଚଳ ଚଳନ ଉଦୟ ।୧୬।

 

କନକ ଚତ୍ଵର ଉପର ଏଣ

କରଇ ମତ୍ତତର ସଞ୍ଚରଣ

ବହଳ କର ନବତୃଣ ବନ

କବଳ ସତରକ ସର୍ବକ୍ଷଣ

ଅଳକ ଆବୃତ

କରଇ ଗମନ ଖଣ୍ଡନ ମତ ।୧୭।

 

ଅସ୍ତ୍ରକ ରଚନ ଘଟଣ ଶସ୍ତ୍ର

ଅସମ ଆଳକ କର୍ତ୍ତନ ଶସ୍ତ୍ର

ଅଟଇ ଏ ରଣ-ରଣର ମତ

ଅଥ ଆନନ ଦର୍ପଣର ଅନ୍ତ

ମୃଗମଦ ରସ

ଲଗ୍ନ ସଦୃଶ ଏ ପକ୍ଷ୍ମଳ ଦୃଶ୍ୟ ।୧୮।

 

ଚନ୍ଦ୍ର କବଳ ଚନ୍ଦ୍ର କଋକଋ

ବମନ ଉଦ୍‍ଗତ ଧର୍ମବଳଋ

ଦନ୍ତଦ୍ଵୟର କ୍ଷତ ପ୍ରକାଟଇ

ରକତ ଅମୃତ ରସ ଝରଇ

ଦଶନର ମଳ

କୃଷ୍ଣବର୍ଣ୍ଣ ବ୍ୟକ୍ତ ନୟନ ସ୍ଥଳ ।୧୯।

 

ଏମନ୍ତ ବର ନୟନ ବର୍ଣ୍ଣନ

ଅବନ ଅକ୍ଷର ଚୟ ଘଟନ

ଅରସକର ହରଷ ଖଣ୍ଡନ

ଉଜ୍ଜ୍ଵଳ-ରସଜ୍ଞ-ହୃଦ ମଣ୍ଡନ

କୃଷ୍ଣ-ପଦ ପଦ୍ମ

ବ୍ରଜ-ଇନ ମନ ଭ୍ରମର ସଦ୍ମ ।୨୦।

***

 

ତୃତୀୟ ଛାନ୍ଦ

ପ୍ରାନ୍ତ ଯମକ

(ରାଗ କୌଶିକ)

 

ଚାହିଁ ଇନ୍ଦୁ ଖରେ ଦୁଃଖରେ ରସିକ କହେ ଧନକୁ କି ଭେଟିବି ।

ମନ କନକ ତା ନିଉଁଛାଳି କରି ଜୀବନ-ଧନକୁ ଖଟିବି ।

ଚନ୍ଦ୍ରମା

ଏ ନେତ୍ର ପଲକ କାଟିବି

ମନ ମଜ୍ଜାଇ ସେ ଯାଇ ଅନାଇଲେ ପାଶେ ବସି ପୁଣି ଖଟିବି ।୧।

 

ଚାଟୁ ବିନୟ ସୁନୟନୀର ଆଗେ, ଆଗେ ଅନୁରାଗେ ରଞ୍ଚୀବି ।

ତାହାର ସରସ ମନ ଦେଖିଲେ ତ ଅଙ୍କ ପରେ ଆଣି ସଞ୍ଚିବି ।

ଚନ୍ଦ୍ରମା

ତା କିଳ-କିଞ୍ଚିତ ପାଞ୍ଚିବି

ରାଗ ଅନୁରାଗ ବାଦ ଲାଗିଲା ତ କାହା ବଳ ବଡ଼ ଆଞ୍ଚିବି ।୨।

 

କୋଳେ ଧରୁଁ ମହୀ ମହିଳା ବସନ୍ତେ ବଳେ ବଳେତ ବସାଇବି

ଉହୁଁ ନା ଉହୁଁ ନା ବଚ ନବ ଚତୁରୀର ଶ୍ରବଣେ ମିଶାଇବି ।

ଚନ୍ଦ୍ରମା

ଛଡ଼ାଇ ରୋଷ ରସାଇବି

ମୃତ୍ୟୁଞ୍ଜୟ ପର ପରଜୟ ମନୋରଥ ଫଳ ଖରସାଇବି ।୩।

 

ଶଶୀ କସ୍ତୂରୀ ତୁରୀତେ ଗୋଳିବାକୁ ଆଳୀ ଆଳିଙ୍କି ଡ଼କାଇବି ।

ନବ-ସପତ-ବରସୀ ରସିବାକୁ ମୋର ଶପତପକାଇବି ।

ଚନ୍ଦମା

ଚିତ୍ର ଖଡ଼ିକା ନିକାଇବି,

ବଦନୁ ପ୍ରସନ୍ନ ସନମତି ପାଇ ଦନ୍ତ ଚଉକି ପକାଇବି ।୪।

 

ଆସ ଆସ ବସ ବସନ ଅଞ୍ଚଳ ଧରି ତା ବିଜେ କରାଇବି ।

ଲାଜ ନମ୍ର ଆସ୍ୟ ଆସ୍ୟରୁ ଅଳପ ହାସରୁ ତା ଠଉରାଇବି ।

ଚନ୍ଦ୍ରମା

ଆଳୀକି ଇଙ୍ଗିତେ ରାଇବି

ସେବା କାରଯରେ ଜଞ୍ଜାଳେ ଲଗାଇ ଧନ ଆନନ୍ଦ ସ୍ଫୁରାଇବି ।୫।

 

କୁଚ ରୁଚିର ଅନ୍ତର ଅନ୍ତର୍ଗତେ କରି ଯେ ତାକୁ ଅନାଇବି ।

ଇଙ୍ଗିତ ବେତ୍ତିନୀ ତିନି ବର୍ଣ୍ଣ ନେତ୍ରଗତି ସମ୍ମତି ଚିହ୍ନାଇବି ।

ଚନ୍ଦ୍ରମା

ସେ ଚିତ୍ର ଚିତ୍ରେ ବନାଇବି

ନାଗରୀ ଅନାଇ ନାମ ଏ ମୋ, ମନ ମନ ଶୁଣିବା ମନାଇବି ।୬।

 

ମନ ପରସନ୍ନା ରସନାକୁ ଧରି କଟିକି ଟିକିଏ ଚାହିଁବି ।

ଭାଙ୍ଗି ରୁଚିର ଶାଟୀକି ଟିକି ଟିକି ବେଣୀ ଝୁମ୍ପା ଆଣି ବହିବି ।

ଚନ୍ଦ୍ରମା

ମୁଁ ତ କିଣା ତୋର କହିବି

ସମ୍ମତିରୁ ତାର ଶତକୋଟିଧର ଶତକୋଟି ନିନ୍ଦା ବିହିବି ।୭।

 

ମନୋହାରିଣୀ ହରିଣୀଈକ୍ଷଣୀର ବିହାରେ ହାର ଛିଣ୍ଡାଇବି ।

ତଦନ୍ତେ ଦନ୍ତ ତିରଣ ରଖି ପଦେ ଅଳତା ଲତା ମଣ୍ଡାଇବି ।

ଚନ୍ଦ୍ରମା

ପୁଣି ତା ମନ ଭଣ୍ଡାଇବି

ହାରିଲୁ ରତରେ ତରେ ଦିଅ ବୋଲି ଚୁମ୍ଵନ ଧନ ତଣ୍ଡାଇବି ।୮।

 

ଦର୍ପକ ଦର୍ପକର ଅରି ଅରିଷ୍ଟପ୍ରଦ ପାଦପ ମୁଣ୍ଡାଇବି ।

ମକର ଉପର ପରତାପ ଖଣ୍ଡା ଆଞ୍ଚିବା ଖଣ୍ଡ ଖଣ୍ଡାଇବି ।

ଚନ୍ଦ୍ରମା

ପୁଣି ସମୟ ଉଣ୍ଡାଇବି

ଭଲା ମାର କାହିଁ ଯିବ ଜୀବଧନ ହାଥରେ ଥରେ ଦଣ୍ଡାଇବି ।୯।

 

ହୋଡ଼ ରଖି ରତ ରତନ ତା ଆଗେ ପଶା କାଠିକି ଗଡ଼ାଇବି ।

ବାହିବି ସାର ବିସାର ନେତ୍ରୀ ଖେଳ ମାରିବା ଦାନ ହୁଡ଼ାଇବି ।

ଚନ୍ଦ୍ରମା

ପାଚିଲାସାର ସଢ଼ାଇବି

ତା ପୁରୁଷାୟିତ ଇତର କି ଜିଣି ତାକୁ କାମକୁ ଲଢ଼ାଇବି ।୧୦।

 

ଅତି ବିପତ୍ତି ପତିକି ତାର ଦେଇ ରତି ଛାତିରେ କୋଡ଼ାଇବି ।

କାମାନଳ–ତରୁ ତରୁଣୀ ହେତୁରୁ ନିର୍ମୂଳ କରି ତଡ଼ାଇବି ।

ଚନ୍ଦ୍ରମା

ମହତ୍ତ୍ଵ ତାର ବୁଡ଼ାଇବି

ଏହି ତ ମୋହିତ ମୋହି ତରୁଣୀ କି ପୁଣି କି ଉରେ ଜଡ଼ାଇବି ।୧୧।

 

କୁନ୍ଦନ–ନିନ୍ଦନଅଙ୍ଗୀ କି ଅଙ୍ଗୀ କି ସୁଖେ ହେମକାଳେ କରିବି ।

ତା ଉରଜ ଉରେ ଜଡ଼ାଇ ଯଉରେ ଯୁଡ଼ାଇଲା ପରି ଧରିବି ।

ଚନ୍ଦ୍ରମା

ଶୀତ ଇଷିତରେ ହରିବି

ଶ୍ୟାମ ଉଷୁମାଙ୍ଗୀ ତା-ପରେ ଉପରେ କଉଁ କଉଁ ତାପ ହରିବି ।୧୨।

 

ନିଦାଘରେ ଘରେ ଜଳଯନ୍ତ୍ର ରଚି ଚନ୍ଦ୍ର ଚନ୍ଦନ ଗୋଳାଇବି।

ମୁଗୁନି ଚତ୍ଵରେ ମୁଁ ଗୁଣୀ ମଣିକି ମଣିମା ଡାକେ ଚଳାଇବି ।

ଚନ୍ଦ୍ରମା

 

 

ଚାମର ପାଶେ ଢଳାଇବି

ପଦକୁ ପଦ ତା ପଦ ପଦମରେ ତୂଳି ପାହାଡ଼ା ତୋଳାଇବି ।୧୩।

 

ଘଟଣ ଘଟ ନଳିନ କଳି କୁଚ ଚନ୍ଦନରେ କି ବୁଡ଼ାଇବି

ହୃଦେ ସେହି ଯୋଡ଼ି ଯୋଡ଼ି ଭିଡ଼ି ଭିଡ଼ି ମୋ ଦେହେ ତା ଛଡ଼ାଇବି

ଚନ୍ଦ୍ରମା

ଶେଯ ସଜାଡି ପଡ଼ାଇବି

ସଜଳ ଜଳଜ-ମୁହିଁକି ମୁହିଁ କି ଉର ଉପରେ ଗଡ଼ାଇବି ।୧୪।

 

ଦକ୍ଷିଣ ଗବାକ୍ଷ ପାଖେ ଲକ୍ଷ ଲକ୍ଷ ବାସ କୁସୁମ ଲଗାଇବି ।

ଝଙ୍କାର-ଶବଦ-ବଦ-କପଟଦ ସେ ଚାରି ପାଖେ ଜଗାଇବି ।

ଚନ୍ଦ୍ରମା

ଉଞ୍ଚ୍ଥିତା ବାସ ଭଙ୍ଗାଇବି

ପିନ୍ଧାଇ ଦେବିକି ବିକି ତ ହୋଇଚି କହି ସହୀକି ମଙ୍ଗାଇବି ।୧୫।

 

କେଳି ମନ୍ଦିରେ ଦିରଦର ରଦର ଗବାକ୍ଷମାନ ଲଗାଇବି ।

ଦ୍ଵାର କପାଟ ପାଟ ପରା ଦିଶିବ ବିଚିତ୍ର ଚିନ୍ତେ ରଙ୍ଗାଇବି ।

ଚନ୍ଦ୍ରମା

କନ୍ଦର୍ପ ଦର୍ପ ଭଞ୍ଜାଇବି

ହୃଦ ପଦକର ଗୁଣପଦ କରି ରାଗେ ଅନୁରାଗେ ଗାଇବି ।୧୬।

 

ପରାଣ ରାଣ ମୋ ପରା ହୁଅ କହି ନାହିଁ ଶବଦ ଘୋଷାଇବି ।

ତା ଉରୁ ସନ୍ଧିରୁ ଧୀରେ କର ଦେଇ ଏ କିରେ ବୋଲି ହସାଇବି ।

ଚନ୍ଦ୍ରମା

ଓଷ୍ଠ ଦଶନେ ଦଂଶାଇବି

ପୟୋଧର ଧର ତୁହି ଟାଣ ପରା ବୋଲି କରଜେ ଭୁଷାଇବି ।୧୭।

 

ରସିକା ସାରକୁ ରସି କାସାରକୁ ନେଇ ଜଳ କେଳି ବିହିବି ।

ତା କୁଚ କଳି ବିକଚ କଳି କଂଜ ଧରି ଲାଜଭରେ ରହିବି ।

ଚନ୍ଦ୍ରମା

ହସିଲେ ସେ କିସ କହିବି

ଶ୍ରୀମୁଖେ ଭ୍ରମରେ ଭ୍ରମରେ ମୁଁ ହୋଇ ପଦ୍ମ ନିଶ୍ଚେ ଚୁମ୍ବି ଚାହିଁବି ।୧୮।

 

ମୋହିବାକୁ ମିତ ଚିତ୍ତ ତ ତତନ୍ତ ତତପର ହୋଇ ବାଇବି ।

ଗାୟନେ ହାହା ହୂହୂ ହୃଦ କମ୍ପନ ଉଚ୍ଚ ସ୍ଵରକୁ ଲମ୍ଵାଇବି ।

ଚନ୍ଦ୍ରମା

ହୃଦ ତାର ଦର-ବାଇବି

ଜଳଜ ଜ-ଜ-ଜ ଧ୍ଵଜ ଜୟ ନାଶ ବିଧି ବଲ୍ଲୀ ପଲ୍ଲବାଇବି ।୧୯।

 

ନବ ଘନେ ଯେବେ ଚପଳା ଚପଳା ଚହଟହଟ ନିରେକ୍ଷିବି ।

କଳାକେ ତ ପାଶେ ଯେ ଶେଯେ ହେମାଙ୍ଗୀ ପହୁଡ଼ିବା ଶୋଭା ଯୋଖିବି

ଚନ୍ଦ୍ରମା

ଇନ୍ଦ୍ର ଧନୁ ପୁଣି ଦେଖିବି,

ଅଳିକକୁ ତାର ତାର ସିନ୍ଦୁରରେ ଚିତ୍ରି ପୁଣି ଭୂରୁ ଲେଖିବି ।୨୦।

 

ନୀଳ ଚେଳାବୃତ୍ତ ବୃତ୍ତ କୁଚେ ତାର ତାର ହାରକୁ ଲୋଟାଇବି ।

ଘନାଚ୍ଛନ୍ନ ଧରାଧର ପର ତାର ବକାଳି କେଳି ଘଟାଇବି ।

ଚନ୍ଦ୍ରମା

ତା କେଶ ପାଶ ଫିଟାଇବି

ଲଗାଇ ତରଳ ଚିରନ୍ତେ ସଜଳ ଜଳଦ କାନ୍ତି କଟାଇବି ।୨୧।

 

ବେଣୀ ବାନ୍ଧି ଏକି କେକୀ ନ ନାଚିଲା ଏକା ଏକାଳରେ ଭାସିବି ।

ଅଙ୍ଗେ ଧରି ମୋର ପୁଲକ କଦମ୍ବ କଦମ୍ବ ପରା ଆଭାସିବି ।

ଚନ୍ଦ୍ରମା

ହସାଇ ତାକୁ ଯେ ହସିବି

ମାଳତୀ କାଶ ସଂକାଶ ମଣି ରସ ନଦୀତ ବଢ଼ିବ ଭାଷିବି ।୨୨।

 

ଏଣୁ ଅତନୁ କାତରେ ତରେ ତନୁ ରମ୍ଭା ଭେଳାପରେ ବସିବି ।

କମ୍ଭ କରି ଧରି କୁଚକୁ ଚତୁରୀ-ରିପୁ ପାରହୋଇ ଆସିବି ।

ଚନ୍ଦ୍ରମା

 

 

ଏଣୁ ବନ୍ଧ ରଚି ବସିବି

ସେ ଯେ ସୁଶୀଳା ତାକୁ ତହିଁ ବସାଇ ସେ ରସପୂର୍ଣ୍ଣେ ଉଲ୍ଲସିବି ।୨୩।

 

ଖେଳି ଦଶଅବତାର ତାର କେଶ-ମୁହୀଁ କି ମୁହିଁକି ଜିଣିବି ।

ଆଦ୍ୟେ ତା ନୟନ ପ୍ରତି-ବିମ୍ବିଲେ ମୁଁ ଅପ୍ରତିତରୁ କି ଜାଣିବି ।

ଚନ୍ଦ୍ରମା

କେତେ ତାହା ପୁଣି ଗଣିବି

ହସି ଦର ଦର ଦର ଖେଳହେଲେ ଏକି ବୋଲି ସିନା ଗୁଣିବି ।୨୪।

 

ତୋହରି ପରି ଏକ କଳା କୈଳାସ-ଈଶଙ୍କ ଶିରେ ଚଢ଼ାଇବି ।

ହେମ ଚମ୍ପା କମ୍ପା କଞ୍ଜ ବେଲପତ୍ରୀ ବିଚିତ୍ର କରି ଚଢ଼ାଇବି ।

ଚନ୍ଦ୍ରମା

ଦିବ୍ୟ ଅବଢ଼ା ବଢ଼ାଇବି

ତୀର୍ଥସରୁଁ ପଙ୍କ ପଙ୍କ-ଜାକ୍ଷୀ ଅଙ୍କ-ଗତ ହୋଇଲେ କଢ଼ାଇବି ।୨୫।

 

ସହସ୍ର ସହସ୍ର ଏ ସହସ୍ର ନାମ ଚଣ୍ଡିକା ପାଠ ପଢ଼ାଇବି ।

ଥିଲେ ଜୀବ ଜୀବନକୁ ନଛାଡ଼ିବି ମନକୁ ଏହା ଦଢ଼ାଇବି ।

ଚନ୍ଦ୍ରମା

ପ୍ରୀତି ସଂପତ୍ତି ବଢ଼ାଇବି

ବ୍ରଜନାଥ ଦୁଃଖ ହର ହର ତୁମ୍ଭ ପ୍ରାସାଦ ବେଢ଼ା ବେଢ଼ାଇବି ।୨୬।

 

୧। ନିଉଁଛାଳି=ରାଜାମାନଙ୍କ ଆଗରେ ପାହାଡ଼ ପକାଇ ତା ଉପରେ ଭେଟିଦ୍ରବ୍ୟ ରଖିବାକୁ ନିଉଛାଳି କହନ୍ତି ।

 

୨। କିଳ କିଞ୍ଚିତ=ନାୟକ ସଙ୍ଗ ଜନିତ ଆନନ୍ଦ ହେତୁ ନାୟକ ସମୀପରେ ନାୟିକାର ଏକ କାଳରେ ନାନା ଭାବର ଉଦୟକୁ-ଅର୍ଥାତ୍ ହର୍ଷ, କ୍ରନ୍ଦନ, ଭୟ, କ୍ରୋଧାଦି ବିଭିନ୍ନ ଅଭିନୟକୁ କିଳ-କିଞ୍ଚିତ କହନ୍ତି ।

 

୩। ଖରସାଇବି=ପୋଡ଼ିଦେବି ।

 

୪। ଶପତ=ରାଣ ବା ନିୟମ ।

 

୫। ସେବାକାର ଜର-ପାଠାନ୍ତର ।

 

୬। ଇଙ୍ଗିତ ବେତ୍ତିନୀ=ଇଙ୍ଗିତଜ୍ଞା, ଯେ ଠାର (ସଙ୍କେତ) ବୁଝିପାରେ ।

 

୭। ଶତକୋଟିଧର=ଇନ୍ଦ୍ର ।

 

୮। ହୋଡ଼ (ଦେଶଜ)=ବାଜି, ପଣ ।

 

୯। କୁନ୍ଦନ=ସୁନା ।

 

୧୦। ଅଙ୍ଗୀ=କୁରୁତା ।

 

୧୧। ଝଙ୍କାର ଶବଦ ବନ୍ଦ-କପଟଦ=ଝଙ୍କାର-ଶବ୍ଦ-ବଦ-କପଟଦ, ବଦ=କହୁଥିବା ଅର୍ଥାତ୍ କରୁର୍ଥାବା, କପଟଦ=କପଟତା ନାଶକାରୀ, ଫଳିତାର୍ଥ-ଝଙ୍କାର ଶଦ୍ଦ କରୁଥିବା ପ୍ରତାରଣା ନାଶକାରୀ ଅର୍ଥାତ ‘ଭ୍ରମରମାରୀ ଗଛ’ ।

 

୧୨। କରଜ=ନଖ ।

 

୧୩। ତତନ୍ତ=ଏକତାରା ବାଦ୍ୟଯନ୍ତ୍ର ।

 

୧୪। ଅପ୍ରତିତରୁ=ବିମର୍ଷରୁ ବା ନିରାନନ୍ଦରୁ ।

 

୧୫। ଏ=ବିଷ୍ଣୁ ।

***

 

ଚତୁର୍ଥ ଛାନ୍ଦ

ପୁଷ୍ପବତୀ-ଅଦ୍ଭୁତୋପମା

(ରାଗ-କୌଶିକ)

 

ବାଳା ପ୍ରିୟ ଦାସୀ ମନ୍ଦେ ମନ୍ଦେ ହସି ରସିକକୁ ଆସି କହିଲା

ଆଜ ତ୍ରିପୁର ଜୟକୁ ମୃତ୍ୟୁଞ୍ଜୟ-ପର ଅନୁକୂଳ ଥୋଇଲା

ନିଜ ବାସକୁ, ମଣ୍ଡି ତାର ରଙ୍ଗ ବାସରେ

ନାଶିବ, ବିପୁଳ ଚାରୁ ରମ୍ଭା ତରୁ ସ୍ଥାପିଛି ଦୁଆର ବେନି ପାରୁଶରେ ।୧।

 

ରସ ପୂର୍ଣ୍ଣ ସ୍ଵର୍ଣ୍ଣ ଘଟ ସୁଘଟନ ସକଳ ମଙ୍ଗଳ ବିଧାନ

ମନୋହର ମୀନ ଶଙ୍ଖ ଶୋଭାବନ ରାଜ ହଂସ କରେ ଗମନ

ନିଶ୍ଚେ ମାରକୁ, ଏପାଳି ହାରିବେ କପାଳୀ

ପଥର ହେଲେ ସେ ଏଥର ତ ମନମଥର ଶର ଯିବ ଗଳି ।୨।

 

ଜଗଜ୍ଜୟ ମନ କରି ସେ ସୁମନ ରହ ରହସ ସ୍ଥାନ କଳି

ତ୍ରିକୋଣ କୁଣ୍ଡେ ହୋମ କରେ କୋମଳ-କୁଶ ସଂଯୋଗେ ଘୃତ ଢ଼ାଳି

ଅଛି ରକତ-ଚନ୍ଦନହିଁ ତହିଁ ମିଶାଇ

ଯୁବାଜନ ମନ-ଇନ୍ଧନ ଦହନ କରେ ଆହୂତି ମାନ ଦେଇ ।୩।

 

 

କନକ ଆଧାରେ ଅତି ଶରଧାରେ ଗୋଳିଅଛ ଝଳି ହିଙ୍ଗୁଳ

ମାର ଚିତ୍ରକର ଚିତ୍ର କରିବାକୁ ତରୁଣ-ଗଣ ହୃଦ-ସ୍ଥଳ

ଜମ୍ବୁନଦ ବା, ହୋଇବାକୁ ମହା ଉଜ୍ଜ୍ଵଳ

ଚାରୁ ଚିକ୍କଣ କୁହିରେ୧ଆଉଟିଣ ମାର ବଣିଆ ଦିଏ ଝାଳ ।୪।

 

ଅଙ୍କ ସରରେ ଲାବଣ୍ୟ ରସ ପୂରି ବାହାରି ପଡ଼ୁଛି ଉଚ୍ଛୂଳି

ତ୍ରିବଳୀ ପାବଚ୍ଛ ବସିଛି ପ୍ରତ୍ୟକ୍ଷ ରୋମାଳ ଶୈବାଳ ଆବଳୀ

ତୁମ୍ଭେ ଏଥର, ମଜ୍ଜି ତନୁ ତାପ

କେଳି ସ୍ରୋତେ ପଡ଼ି ଗଲାବେଳେ ବୁଡ଼ି କୁଚ କୁମ୍ଭ ଧରି ଭାସିବ ।୫।

 

ଏ ଅତି ବିଚିତ୍ର ଦେଖିଲା ଏ ନେତ୍ର ରାତ୍ରେ ଶତପତ୍ର ଫୁଟିଲା

ସୁଧା ଜର ଜର ଅରୁଣ ଉପର ତହିଁ ତାରକା କରେ ଲୀଳା

କୃଶ ପୃଥୁଳ, ପୃଥୁଳ ହେଲା କୃଶତର

ଚଞ୍ଚଳ ଧୀର ଧୀର ହୋଇ ତଞ୍ଚଳ ମୋହୁଛି ଏବେ ତିନିପୁର ।୬।

 

କେ ବକ୍ର କୁଟୀଳଶୀଳ ହୋଇ ତିନି ଭୁବନେ ପ୍ରଶସ୍ୟ ଦେଖିଛ

ଯେଡ଼ିକି ହିଁ ମନ୍ଦ ତେଡ଼ିକି ଆନନ୍ଦ ଦେଉଛି ନୁହଁଇ ଏ ମିଛ

ଯେଡ଼େ କଠିନ, ସରସ ସ୍ଵଭାବେ ତେଡ଼ିକି

ପରମାଣୁ ପରେ ପରବତ ଥିବା ଥାଉ ଦେଖିବା ଶୁଣିଛ କି ।୭।

 

 

ତନୁ ବର୍ଣ୍ଣ ଦେଖି ସ୍ତନ ମନ ସୁଖୀ ଅଧର ଦେଖି ଫୁଲେ ନେତ୍ର

ନାଭୀ ଚାହିଁ ଗତି ଲୋଡ଼େ କେଳିରୀତି ମୁଖ ଦେଖି ନଖ ଉନ୍ମତ୍ତ

ଚାହିଁ କବରୀ, ବଦନ ହାସ ବିକଶିତ

ଚିବୁକର ଚିତ୍ର ଦେଖି ଏକା ମାତ୍ର ଅଙ୍ଗୁଳି ନୋହେ ସରସିତ ।୮।

 

ନାସିକାକୁ ଚାହିଁ ଅଧର ଡରଇ ଅଧରକୁ ଚାହିଁ କୁନ୍ତଳ

କୁନ୍ତଳକୁ ଦେଖି ମୁଖ ହୋଏ ଦୁଃଖୀ ମୁଖକୁ ଡରେ ପାଦତଳ

ପୁଣି ପାଦକୁ, ଅନାଇ କର କରେ ଭୀତି

କର ଦରଶନେ ସଭୟ ନୟନେ ନୟନେ ନେତ୍ରେ ଭ୍ରୂଲତା ଭୟ ମତି ।୯।

 

ଭ୍ରୂଲତାକୁ ଚାହିଁ କର୍ଣ୍ଣ ଭୟ ପାଇ କର୍ଣ୍ଣକୁ ଡରଇ ନାସିକା

ଏରୂପେ ନାନା ସର୍ଜନା ବିଧି ବିହି, ବିହି ହୋଇଛି ସେ ରସିକା

ଶୁଣିଆ-ତ୍ମଭୂ, ଟେକହିଁ ତ ତାର ହୋଇଛି

ସ୍ଵଭାବେ ଚତୁର-ମୁଖ ହଂସ ଗତି ଶ୍ରୁତ ଉତ୍ସବ କରାଉଛି ।୧୦।

 

ତା ନେତ୍ର ଭଙ୍ଗୀରେ ଜାଣିଛି ନାଗରେ ଇନ୍ଦ୍ର ସେ ତୁମ୍ଭଙ୍କୁ କରିବ

ରମ୍ଭା ଐରାବତ ମନ୍ଦାର ଅମୃତ ଆଦି ସମ୍ପାଦି ଅଛି ସର୍ବ

ମହା ହରଷେ, ସ୍ମରିଣ ଏ ଭୋଗ କର

ତା ଶ୍ରୀମୁଖ ଦେଖି ନିମେଷ ଉପେକ୍ଷି ସୁର ସାର ହୋଇ ବିହର ।୧୧।

 

 

କର୍ଣ୍ଣକୁ ନୟନ କହେ ପୁନଃ ପୁନଃ ଅଧୀର ହୋଇ ଏହୁ ବାଣୀ

ନୀଚ କୁଚ ଉଚ୍ଚ ଟାଣ ଟେକ କିମ୍ପା କରି ଦେଉଛି ବାଳାମଣି

କଟି ମଧ୍ୟସ୍ଥ, କି ଦୋଷେ ତାକୁ କୃଶ କଲା

ସୁ ଗତି କି ମନ୍ଦ କରିଦେଇ ତାକୁ ଏବେ ତ ଦେଖି ନ ପାରିଲା ।୧୨।

 

ଅତନୁ ପୀଡ଼ା ଆସି ଏବେ ପଡ଼ିଲା ବୁଡ଼ିଲା ନିଶ୍ଚେ ଅଙ୍ଗଦେଶ

ଅବିବେକ ମତି ହୋଇ ବାମା ରତି ବିଷୟେ ହେଲା କି ଆବେଶ

ଋଜୁ ଭ୍ରୂଲତା, ବକ୍ରତା ନାଟ କେ ସହିବ

ସୁନାସାର ପାଇ ସୁନାସାର କାହିଁପାଇଁ ଫୁଲିହାର ନୋହିବ ।୧୩।

 

ତୁମ୍ଭେ ବୀରବର ସକଳ ଶାସ୍ତ୍ରର ପ୍ରୟୋଗରେ ଅଟ ନିପୁଣ

ସେ ଭୂରୁ ଚାପରେ ନେତ୍ର ଶର ସନ୍ଧି ବିନ୍ଧିଲେ ସହିବ କି ପୁଣ

ତୁମ୍ଭେ କର ଯେ, କରଜ-କୁନ୍ତେ ଟାଣମନ

କୋମଳାଙ୍ଗୀ-ହୃଦ ମଣିଛ କି ଯେବେ ବାଜି ନ ଭାଜି ଯିବ ମୁନ ।୧୪।

 

ମୁହିଁ ତ ନାଗର-ବର ସେ ପଦ୍ମିନୀ ବୋଲି କରିଛ କି ବିଚାର

ପ୍ରବଳ ହେଲେହେଁ କେବଳ ଯେ ଭୁଜ ମୃଣାଳେ ବନ୍ଧା ହେବ ତାର

ରସେ ବୁଡ଼ିତ, ସ୍ଵଭାବେ ସ୍ଥୟ ନୋହିଥିବ

ତା କୁଚ-କମଳ-କଳି କରେ ଧରି କୋଳ-କୂଳେ ଲାଗି ରହିବ ।୧୫।

 

 

ତୁମ୍ଭେ ବା ବୋଲିବ ମୋ ପରି ବଦାନ୍ୟ ଆଉ ନ ଥିବ ଜଗତରେ

ସେ କ୍ଷଣ କ୍ଷଣକେ ଇନ୍ଦ୍ର ପଦ ଦିଏ ବିକ୍ଷଣେ୩ ଈଷଣ ପ୍ରାନ୍ତରେ

ତୁମ୍ଭଠାରେ ଯେ, ରତିଦାନେ ହେବ କୃପଣ

ବାହ୍ୟରେ ନିରାଶ ପ୍ରକାଶ ମାନସ ସୁ ପକ୍ଵ ପନସ ତା ପୁଣ ।୧୬।

 

ଆମ୍ଭେମାନେ ଦାନୀ ତ୍ରିଭୁବନେ ଘେନି ଥାଅ ପରା ଏ ଗୁମାନକୁ

ଏହି କୋପେ ବାଳୀ ନିତି ଗୋଳି ଗୋଳି ସାରୁଛି ହରି ଚନ୍ଦନକୁ

ଅତି ନିର୍ବନ୍ଧେ, ବଳି କଲା ଚିରେ ବନ୍ଧନ

ଅଶେଷ ରସରେ ନେତ୍ର ତୀକ୍ଷ୍ଣ ଶରେ କର୍ଣ୍ଣକୁ ବିନ୍ଧୁଅଛି ଧନ ।୧୭।

 

ତିମ୍ଭେ ତ୍ରିଭୁବନ ପତି, ସର୍ବଜନମାନଙ୍କ ଅଟ ସ୍ତୁତି ପାତ୍ର

ତୁମ୍ଭଙ୍କୁ ବିନତି ଭାବରେ ଯେ ସ୍ତୁତି କରାଇବ ସେ କେଡ଼େ ଚିତ୍ର

ଏବେ ଏଥର, ଶିଖ ରଙ୍ଗ ଚାଟୁ ବଚନ

ମାନ, କ୍ରୋଧ, ରାଗ, ବିରାଗ ଯେ ଯଉଁ ସମୟରେ ହେବ ରଚନ ।୧୮।

 

ଦିବସ ରୟଣୀ ଅବକାଶ ଜାଣି ଏଣିକି ଯେ ଅନୁସରିବ

ଧନ ମାନ ପାନ ପିନ୍ଧିଲା ବସନ ଭାଙ୍ଗିଲେ ତ ମନ ହରିବ

ଶିଖି ଅଛ କି, ନାହିଁ ପତ୍ରାଳୀ ଚିତ୍ର ଲେଖି

ଅଳତା ବୋଳ ତା ଚରଣରେ ଦେଇ ଜାଣିବିଟିକି ଏକା ରେଖି ।୧୯।

 

 

ଛଇଳ ଛଇଳା ଦୁଇଜଣ ଭଲା କେ ହାରି ଜିଣିବ ଜାଣିବା

ଛଳ ଖେଳ ରତିରୀତି ଗତାଗତି ବଳିବା ତ ପୁଣି ଗୁଣିବା

ତୁମ୍ଭେ ସକଳ, ଶାସ୍ତ୍ରେ ପଣ୍ଡିତ ନୃପବର

ଅନ୍ତଃପୁରବର୍ତ୍ତୀ ଅବଳା ଯୁବତୀ ତୁମ୍ଭ ତାର ଏତେ ଅନ୍ତର ।୨୦।

 

କହୁଁ କହୁଁ ଏହା ବଢ଼ିଲା ଉତ୍ସାହା ତରଙ୍ଗିଣୀ ମହା ପ୍ରବଳେ

ହୃଦୟ ତଟରୁ ରମ୍ଭାରମ୍ଭ-ତରୁ ଉପାଡ଼ି ପକାଇଲା ହେଳେ

କାମ ଭ୍ରମୀରେ, ଚେତନା ନାବ ବୁଡ଼ିଗଲା

ସ୍ନେହ ସ୍ରୋତ ଭାସି ଯାଆନ୍ତେ ଲଭିଲା ଆଶାକୁମ୍ଭ ଆସି ଲାଗିଲା ।୨୧।

 

ବାଞ୍ଛା ବୀଚିବଳେ ବୁଡ଼ି ବେଳେ ବେଳେ ସଖୀ ବାଣୀ କୂଳେ ଲଗାଇ

ବିରହ କୁମ୍ଭୀର ଗିଳି ଦେଉଁ ଦେଉଁ ରଖିଲା ପ୍ରୀତି ବାଡ଼ ଦେଇ

ଧୀର ରସିକେ, ମନ ଦେଇ ଘେନ ଏ ରସ

କବି ବ୍ରଜନାଥ ବଡ଼ଜେନା ଗୀତ ରଚେ ସୁମରି ପୀତବାସ ।୨୨।

 

୧। କୁହି=ସୁନା ଆଉଟିବା ପାଇଁ ବଣିଆମାନେ ତିଆରି କରିଥବା ପାତ୍ର (crucible)-

 

୨। ତ୍ରିବଳୀ=ମାଂସ ସଂକୁଚିତ ହୋଇ ସ୍ତ୍ରୀମାନଙ୍କର ନାଭୀର ଉପରିସ୍ଥ ବା ଉଦରର ରେଖାତ୍ରୟ ।

 

୩। ବୀକ୍ଷଣ=ଦେଖିବାରେ ବା ଦର୍ଶନରେ ।

 

୪। ଚିରେ ବନ୍ଧନ=କାନିରେ ଗଣ୍ଠି ।

 

୫। ରୟଣୀ=ରଜନୀ ।

 

୬। ନୃପବର=ଶ୍ରେଷ୍ଠ ।

 

୭। ରମ୍ଭାରମ୍ଭ-ତରୁ=(ରମ୍ଭା+ଆରମ୍ଭ) ଆଡ଼ମ୍ଵର ରୂପକ କଦଳୀ ଗଛ ।

 

୮। ଭ୍ରମୀ=ଭଉଁରୀ ।

***

 

ପଞ୍ଚମ ଛାନ୍ଦ

ମଧୁଶଯ୍ୟା-ବିରୋଧ ରୂପକ

ରାଗ-ଚକ୍ରକେଳି

 

କ୍ରମେ ହୁଅନ୍ତେ ଋତୁ-ଅର୍ଦ୍ଧ ଦିନ ।

ରାମା ଋତୁଦିନ ହେଲା ସମ୍ପୂର୍ଣ୍ଣ ।୧।

 

ଆର ଦିବସେ ରଜନୀ ଲଗାଇ ।

ତନୁ ଅତନୁ ତୋରା କଲେ ସହୀ ।୨।

 

ନିରସରୁ ସରସ ଅଣାଇଲେ ।

ସ୍ନାନେ ନିର୍ମଳ ଅମଳାଙ୍ଗ କଲେ ।୩।

 

ଚିର ରୁଚିର କରିଣ ପିନ୍ଧାନ୍ତି ।

ବାଳ ବାଳ-ମୃଗାକ୍ଷୀର ବାନ୍ଧନ୍ତି ।୪।

 

ଅଙ୍ଗ ବେଶେ ହୀନ ଅଙ୍ଗ ମୋହିଲେ ।

ଭାଲେ ଚିତ୍ରକୁ ବିଚିତ୍ର ଲିହିଲେ ।୫।

 

 

ଏକା କେଳି ବାସକୁ ନାନା ବାସେ ।

ମଣ୍ଡି ବାସେ ମନୋହର କଲେ ସେ ।୬।

 

ନୃପ କୁମାରକୁ ମାର ମାରଇ ।

ଶର ଅସର କରି ପ୍ରହାରଇ ।୭।

 

ଦିନ ନଦୀନ ହେଲା ତା ଅପାରେ ।

ନାନା ବିଷୟେ ବିଷ ଏ ବିଚାରେ ।୮।

 

ମିତ ବିପରୀତ ଘେନି ମାନସେ ।

ମିତ ମିତ ବୋଲୁଛି ସେ ଅନିଶେ ।୯।

 

କ୍ରମେ ଦିବସ ଆସି ହେଲା ଶେଷ ।

ପୂର୍ବପରି ପଶ୍ଚିମେ ଶୋଭା-ହଂସ ।୧୦।

 

ଅସୁନ୍ଦର ସେ କୁମୁଦେ କମଳେ ।

ମହା ସୁନ୍ଦର କୁମୁଦେ କମଳେ ।୧୧।

 

ଚକ୍ର ଦମ୍ପତି ଲଭିଲେ ବିରସ ।

ହେଲେ ଦମ୍ପତି ଚକ୍ର ସହରସ ।୧୨।

 

ପରବେଶ ନୃପ କେଳି ବାସରେ ।

ବାଳା ଆଗମନକୁ ଅନୁସରେ ।୧୩।

 

ବସେ ପଲ୍ୟଙ୍କେ ପଲକ-ବିହୀନେ ।

ରାମାମଣି କି ଆଣି ସଖୀମାନେ ।୧୪।

 

ଦ୍ଵାର ନିକଟକୁ ବୋଲି ଅଇଲେ ।

ଅଳ୍ପ ପେଲିଦଇ ଦୂର ହୋଇଲେ ।୧୫।

 

ବାଳୀ ଦେହଳି ବଳିବାର ଦେଖି ।

ନୃପ ନନ୍ଦନ ହୋଇ ମହାସୁଖୀ ।୧୬।

 

ନେତ୍ର ନେତ ନିଉଁଛାଳି ପକାଇ ।

ମନ ରତନ ଦେଇ ଭେଟ ହୋଇ ।୧୭।

 

କର ଧରି ଆଦରେ ଘେନିଗଲା ।

ତାର ଅଙ୍ଗ ଭୁବନେ ରାଜା କଲା ।୧୮।

 

ରତ୍ନ-ପଲଙ୍କ ସିଂହାସନ ପରେ ।

ବସାଇଲା ନେଇ କୋଳ ତଳ୍ପରେ ।୧୯।

 

ଶୋହେ ଶିରେ ଓଢ଼ଣୀ ଦିବ୍ୟଛତ୍ର ।

ଚାରୁ କୁନ୍ତଳ ଚାମର ବିଚିତ୍ର ।୨୦।

 

କର୍ଣ୍ଣ ତାଟଙ୍କ ଚନ୍ଦ୍ର-ସୂର୍ଯ୍ୟ-ତ୍ରାସ ।

ଫିରି ଫିରା ପତକା ପରକାଶ ।୨୧।

 

ଦେଖି ନୃପତି ଅଧିକାର ତାର ।

ନେଇ ପାଦରେ ପକାଇଲା କର ।୨୨।

 

ବାଳା ଶ୍ରୀଅଙ୍ଗ ହେଉଛି କମ୍ପିତ ।

ବିଚାରେ ଏ ଲାଗୁଛି କାମଭୂତ ।୨୩।

 

କାନ୍ତ ଗୁଣିଆ ଚାଟୁ ମନ୍ତ୍ର ପଢ଼ି ।

ହୃଦେ କର ପକାଇ ଦିଏ ଝାଡ଼ି ।୨୪।

 

ରସିକରେ ହେବି ପାକ-ଶାସନ ।

ମନେ ମନୋରଥ କରି ଏସନ ।୨୫।

 

କୁଚ ଶମ୍ଭୁଙ୍କୁ ଦିଗମ୍ବର ବେଶେ ।

ଦରଶନ କଲା ମନ ହରଷେ ।୨୬।

 

କାମ-ଜୟାର୍ଥେ ପାଣି ପଦ୍ମ ଦେଲା ।

ଚନ୍ଦ୍ରକଳାହିଁ ପୁଣି ଚଢ଼ାଇଲା ।୨୭।

 

ବାଳା ଓଷ୍ଠ-ପକ୍ଵବିମ୍ବ ଦେଖିଲେ ।

ଦ୍ଵିଜ-ଦିଜେ ଦଂଶି ରସ ଚାଖିଲେ ।୨୮।

 

ମାର-ଜାଙ୍ଗଳିକର ପଦ ବଳେ ।

ଜିହ୍ଵା-ଫଣୀ ପଶିଲା କର୍ଣ୍ଣ-ବିଳେ ।୨୯।

 

ହୋଇ କଜ୍ଜଳ ରଜ୍ଜୁରେ ବନ୍ଧନ ।

ଚକ୍ଷୁ ଏଣୀ ଯା ଡିଏଁ ପୁନଃ ପୁନଃ ।୩୦।

 

ଭୂରୁଲତା ତା ଆଗରେ ଦେଖାଇ ।

ଚୁମ୍ବ ଛକେ ଚୁଚୁକାରୀ ଡାକଇ ।୩୧।

 

କୁଚ-ସେନାର ଶିରୁଁ ଯାନ୍ତେ ଶାଢ଼ୀ ।

ଲୁଟି ତନୁ ଦେଶ ଦେଲେ ଉଜାଡ଼ି ।୩୨।

 

କଣ୍ଠହାର ଘେନି ବନ୍ଧା ହୋଇଲା ।

ଗଣ୍ଡ-ମଣ୍ଡଳେ ଆଘାତ ପାଇଲା ।୩୩।

 

ଟେକ ଆରମ୍ଭେ ଉରଜ କାତରେ ।

ଲୁଚି ରହିଲେ ସେ ପାଣି ଭିତରେ ।୩୪।

 

କର-ଡଗର ସର୍ବସ୍ଥାନେ ପଶି ।

ଖୋଜି ଯାଉଛି ରାଜାର ଯେ ଦୋଷୀ ।୩୫।

 

ଗୁପ୍ତ ସ୍ଥାନକୁ ଚଳନ୍ତେ ବଳାଇ ।

ନାହିଁ ନାହିଁ ଶବଦ ପ୍ରକଟଇ ।୩୬।

 

ପଡ଼େ କନ୍ଦର୍ପ-ରାଜା ଗଡ଼େ ହୁରି ।

ଉରୁ-ଦୁଆରୀ ଯାଉଛନ୍ତି ଥରି ।୩୭।

 

ନୀବୀ-ନିବିଡ଼ କବାଟ ପଡ଼ିଛି।

କର-କୋଲପହିଁ ତହିଁ ଜଡ଼ିଛି ।୩୮।

 

ବର ବକ୍ର-ଅଙ୍ଗୁଳି-କୁଞ୍ଚି ତାଡ଼େ ।

ଫିଟେ ନାହିଁ ସେ କିଳିଣି ନିବିଡ଼େ ।୩୯।

 

ଛନ୍ଦା ଗଣ୍ଠି-ଶିଙ୍କୁଳି ଅଛି ଲାଗି ।

ଜୟ ନ ପାଇ ସେ ଦୁଆରୁ ଭାଗି ।୪୦।

 

ଆସି ଲାଗିଲେ ଯେ ଆର ଦୁଆରେ ।

ଦୁଇ ଦନ୍ତୀ ଜଗିଛନ୍ତି ତହିଁରେ ।୪୧।

 

ବାସ କାନ୍ଥରେ ଦୁର୍ଜୟ ସେ ଅତି ।

ଡେଇଁ ଯାଇ ତା ଅଙ୍ଗୁଳି ପାଦାନ୍ତି ।୪୨।

 

ଉରୁ କରୀ କି ନଖାଙ୍କୁଶେ ଭୂଷି ।

ନିଜ ପୁର ସରିକି ଗଲେ ମିଶି ।୪୩।

 

ଯହୁଁ ଭିତର ଗଡ଼ମାର ଗଲା ।

ଆର ଦୁଆର ଆୟତ୍ତ ପଡ଼ିଲା ।୪୪।

 

ଭାଜିଗଲା କୋଲପ ଗଣ୍ଠି କୂଟ ।

ଅନାୟାସେ ଫିଟିଗଲା କବାଟ ।୪୫।

 

ଅତି ଅଜୟ ଗଡ଼ ଜୟ ହେଲା ।

ଏଣୁ ନୁପୂର ବାଜଣା ବାଜିଲା ।୪୬।

 

ଲାଜ ଭୟ ବିବେକ ଦୋଷୀ କୁଳେ ।

ରହି ନ ପାରିଲେ ସେହୁ ମଣ୍ଡଳେ ।୪୭।

 

ବନ୍ଧୁଁ ଫିଟିଲା ସ୍ନେହାଳୁ କୁନ୍ତଳ ।

ଗଲା ଅନ୍ତର ହୋଇ ଯେ ଦୁକୂଳ ।୪୮।

 

କାମ ରାଜାକୁ ପଡ଼ିବ ବିପତ୍ତି ।

ଏହି ଘେନି କାତର ରତି ପତି ।୪୯।

 

ମିତ୍ରଲାଭ ସୁହୃଦ୍-ଭେଦ ବିଗ୍ରହ ।

ସନ୍ଧି ଆଦି ଜାଣଇ ସେ ବିଦେହ ।୫୦।

 

ବିଚାରଇ କାନ୍ତଠାରୁ ରାମାକୁ ।

ଫିଟାଇଲେ ରଖିବି ଗାରିମାକୁ ।୫୧।

 

କହେ ମନୋଜ ସେ ବାଳାମଣି କି ।

ମୋତେ ତୁଟୁଅଛ କିସ ମଣି କି ।୫୨।

 

କେତେକାଳ ରହିବୁ କାନ୍ତ ବଳେ ।

ମୋର କରେ କି ନ ପଡ଼ିବୁ ବେଳେ ।୫୩।

 

ଦେଖି ସମ୍ଭାଳ ବୋଲ ବିନ୍ଧେ କାଣ୍ଡ ।

କଲା କୋମଳା ପିଣ୍ଡ ଖଣ୍ଡ ଖଣ୍ଡ ।୫୪।

 

ଶର ମରମ ଭିତରେ ବାଜିଲା ।

ଛନ୍ନେ ବାଳା ମନୁଜକୁ ଭଜିଲା ।୫୫।

 

ବରଠାରୁ ଛାଡ଼ି ଦର ଓପ୍ରୋଧ ।

କଲା ଅଧୀରା ହୋଇ ରତିଯୁଦ୍ଧ ।୫୬।

 

ନଖ ଭାଲକୁ କୁଚ ଢ଼ାଲେ ଆଡ଼େ ।

ଦନ୍ତ କୁନ୍ତ କାଟଇ ନାହିଁ ଛାଡ଼େ ।୫୭।

 

ଭୂରୁ ଚାପେ ଯୋଖି ନେତ୍ର ବିଶିଖ ।

ବିନ୍ଧି କାନ୍ତ ସର୍ବାଙ୍ଗ କଲା ଲାଖ ।୫୮।

 

ଭୁଜ ପାଶେ ବାନ୍ଧି ଭିଡ଼େ ନିବିଡ଼େ ।

ବେନି ଜାନୁ କଟୀରେ ଦୃଢ଼େ ଭିଡ଼େ ।୫୯।

 

ଇଷି ଇଷି ଭାଷା ଭାଷି ମିଶଇ ।

ପୁଣି ଚମକି ଉରଜେ ଠେସଇ ।୬୦।

 

ଗଣ୍ଡ ମଣ୍ଡଳେ ମଣ୍ଡଇ ଚୁମ୍ବନ ।

ବଳେ କରେ ଅଧରୁ ରସ ପାନ ।୬୧।

 

ବାଳା ମଦନ-ମଦ ଯା ପିଇଲା ।

ଜାଣୁ ଜାଣୁ ଏଣୁ ବାଇ ହୋଇଲା ।୬୨।

 

ହାସେ ଲୁଅ ବହି ଆସେ ନୟନୁ ।

କ୍ଷତ ଲାଭେ ପୁଲକ ଲଭେ ତନୁ ।୬୩।

 

ସଖୀ ପାଶେ ଯେ ସ୍ମିତ ନ ପ୍ରକାଶେ ।

ନୂଆ ପତି ଆଗରେ ସ୍ଫୁଟେ ହସେ ।୬୪।

 

ଏହିକାଳେ ହାର ହେଲା କାକର ।

କା କା ରାବ ପ୍ରକଟିଲା କାକର ।୬୫।

 

ସୁର ପୁରରେ ଶୁଭେ ଦର ନାଦ ।

ଜାର ଯା ରଟେ କୁକ୍କୁଟ ଶବଦ ।୬୬।

 

ହରି ହରି ପରି ଧରୁଁ ବାହାର ।

ଇନ୍ଦୁ ଇନ୍ଦୁର ପରିତେଜେ ତାର ।୬୭।

 

ପାନ ପାନରେ ଲାଗିଲା ତିକତ ।

ଅଙ୍ଗ ଅଙ୍ଗନାର ରଙ୍ଗେ ସ୍ଥକିତ ।୬୮।

 

କାନ୍ତ ଏକାନ୍ତ ପୁରେ ପାଶେ ଚାହିଁ ।

ବାଳୀ ବାଳିଶ ହେଲି ବିଚାରଇ ।୬୯।

 

ଉଠି ବିମ୍ବୋଷ୍ଠୀ କାନ୍ତେ ପିଠିକଲା ।

ବାସ ବେଢ଼ାଇ ଦେଇ ବାହାରିଲା ।୭୦।

 

ପତି ଅତି ସ୍ନେହେ ଭିଡ଼ି ସଘନେ ।

ଚାରୁ ସରୁ ଚୁମ୍ବ ଦେଲା ବଦନେ ।୭୧।

 

ବାଳା ଲୀଳା ରତାନ୍ତ ବେଶ ଦେଖି ।

କଲା ମେଲାଣି ହୃଦେ ଲେଖି ରଖି ।୭୨।

 

ସଖୀ ଶିଖୀ-କୁନ୍ତଳାକୁ ଚିହିଁଲେ ।

ଏ କି ଟେକି ମୁଖ କହ କହିଲେ ।୭୩।

 

କେଶ କେ ସମ୍ଭାଳି ଧରି ଖୋଷଇ ।

ସ୍ତନ ଚିହ୍ନ ଚିହ୍ନି କେହୁ ଭାଷଇ ।୭୪।

 

ବାଳା ବାଳ କୁରଙ୍ଗୀ କରେ ଛନ୍ଦି ।

କରିଥିଲା ନାଗର ନାଗବନ୍ଦୀ ।୭୫।

 

ଭଲା ଭୁଲାଇ ପକାଇ ଅଇଲା ।

ନଖ କଣ୍ଟକେ ତନୁ ଛିଣ୍ଡିଗଲା ।୭୬।

 

ପୁଣି ମାଜଣା ବିଧିକି ବଢ଼ାଇ ।

ଆଶ୍ଵାସିଲେ ପଲଙ୍କେ ପହୁଡ଼ାଇ ।୭୭।

 

କେତେଦିନେ ଲିଭିଲା ପୁଷ୍ପକାଳ ।

କାନ୍ତ କାନ୍ତା ବିଚ୍ଛେଦରୁ ଆକୁଳ ।୭୮।

 

ଫୁଲ କୋଦଣ୍ଡ ଦଣ୍ଡେ ଦୁଃଖୀ ହୋଇ ।

ନିଶି ଦିବସେ ଭିବ ସେ ଭାବଇ ।୭୯।

 

କାଳ କାଳ ହେବାକୁ ବିମୋଚନ ।

ବ୍ରଜନାଥ ଚିନ୍ତେ ପଦ୍ମଲେଚନ ।୮୦।

 

୧। ଋତୁ ଅର୍ଦ୍ଧ ଦିନ-ଋତୁ=ଛଅ, ଅଧା ଦିନ ।

୨। ରଜନୀ=ହଳଦୀ ।

୩। ନଦୀନ=ସମୁଦ୍ର ।

୪। ଦର=ଶଙ୍ଖ ।

୫। ଧରୁଁ=ଉଦୟାଚଳରୁ ।

***

 

ଷଷ୍ଠ ଛାନ୍ଦ

ଏକା ଯମକ

ରାଗ-ଚୋଖି

 

ଚତୁର ବିଚାରେ ଧୀରେ ଯେ ଗଙ୍ଗା ରସନିଧିରେ

ଝାସିଥାଇ ସୁବୁଧିରେ ଯଥା ବିଧିରେ

ଉଜ୍ଜ୍ଵଳ କଳା ନିଧିରେ କୋଳେ ଧରେ ସେ ଅଧୀରେ

କ୍ଷଣାକୁ ମାର ଯୁଦ୍ଧରେ ପ୍ରେମ ସିଦ୍ଧିରେ

ତାକୁ ଗଣି ନାଗର ଧୀରେ

ପଡ଼ଇ ନାହିଁ ସେ ମୃଡ଼ପର ବ୍ୟାଧିରେ ।୧।

 

ଯା ଅଙ୍ଗେ ଖେଳ ଲୋଚନ ସରାଗେ ଢ଼ାଳି କାଞ୍ଚନ

ଅଙ୍ଗା ଇଙ୍ଗିତେ ବଚନ କରେ ରଚନ

ଭୂରୁ-ଚାପ ଆମଞ୍ଚନ ହାସ-ପୀୟୁଷ ସେଚନ

କରି କରଇ ସଞ୍ଚନ ତାପ ମୋଚନ

ହେଉ ପଛେ ସେ ଅକିଞ୍ଚନ

ତାକୁ ସରି ନୁହଇ ସହସ୍ର ଲୋଚନ ।୨।

 

 

 

ବାର-ଚତୁର-ବରଷୀ ରାମାକୁ ରସାଇ ରସି

ଯେ ଅଛି କାମେ ଭରସି ଉତ-କରଷି

ଚୁମ୍ବ ମଣ୍ଡୁଛି ସରସୀ ରୁହ-ମୁଖ ଆକରଷି

ସେ ଲୋହସମ ଅରସିକର ପରଶି

ଧନ୍ୟ ତାର ନବୀନ ରସୀ

ଯା ଶରୀରେ ହାସ-ସୁଧା ସ୍ନେହେ ବରଷି ।୩।

 

କରି ବାଳାକୁ ପ୍ରସନ୍ନ କରିଥିବ ବିବସନ

କୋଳରେ ଦେଇ ଆସନ ଓଷ୍ଠେ ଦଶନ

କାମେ କରିଣ ଦଂଶନ କରେ ପୀୟୁଷ ଅଶନ

ହେବ ଫୁଲ ଶରାସନ-ଜର ନାଶନ

ଥିବ ଯେ ନାଗର ଏସନ

ତାକୁ କଉଁଗୁଣେ ସରି ପାକ-ଶାସନ ।୪।

 

ଯେ ପୂର୍ବରେ ଅନିବାର ସେବା କରିଛି ଶିବାର

ଶିବେ ଲାଗି କରିବାର ପଙ୍କଜବାର

ସେ ବିପରୀତରେ ବାର ବରଷୀର ରସିବାର

ଦେଖ ଅଛି ବାରମ୍ବାର ଉଲ୍ଲସିବାର

ସାର ସେ ରସିକ ଯୁବାର

ହା ରସେ ବିହରେ ଧନ୍ୟ ତା ଜୀଇବାର ।୫।

 

ଶ୍ରୀଅଙ୍ଗ ମଣ୍ଡି ବେଶରେ ଯେତେବେଳେ ସେ ପାଶରେ

ମିଳୁଥିବ ହରଷରେ ରତି ଆଶରେ

ଦେଖି ତାହାକୁ ଦୃଶରେ ତରଳି ସୁମନ-ଶରେ

ଯେ ବୁଡ଼ଇ ସୁରସରେ ଲାବଣ୍ୟ ସରେ

ତା ଭାଗ୍ୟ କହିଲେ ନ ସରେ

ଯେ ବନ୍ଧା ହୁଅଇ ବାଳା ବାହୁ-ପାଶରେ ।୬।

 

ଯେ ଦାସ ହୋଇ ନୂତନ ବାଳାର ରତି ରତନ

ପାଉଅଛି ବରତନ ଅତି ଯତନ

ଚାରୁ ଭ୍ରୂଲତା-ନର୍ତ୍ତନ ଭଙ୍ଗୀ ଧୃତି-ବିକର୍ତ୍ତନ

ଖଣ୍ଡେ ମକର-କେତନ-ଶର ପତନ

ସର୍ବ ଦୁଃଖ କରେ ସାନ୍ତ୍ଵନ

ଏଥୁଁ କଉଁ ସୁଖକର ବଡ଼ ଚିନ୍ତନ ।୭।

 

ଓଷ୍ଠୁଁ ରସ ସୁ-ପ୍ରେମରେ ନ ପିଇ ଯାହା ଅମରେ

ପିଅନ୍ତି ସୁଧା ଭ୍ରମରେ ନିଷିକାମରେ

ବହୁ-ଚମ୍ପକ-ଦାମରେ ନମଣ୍ଡି ଗଳା କାମରେ

ମଣିହ୍ଵନ୍ତି ସୁଷମରେ ହାର ପାମରେ

 

 

ଯୋଖିବାକୁ ରାମା ସମରେ

ମିଳିବ କି ନାଗ-ନର-ସୁର ଗ୍ରାମରେ ।୮।

 

ସେ ଯଉଁ ମନ୍ଦ ହସିତ ସେ ଯଉଁ ସ୍ନେହ ଭାଷିତ

ପ୍ରେମ କ୍ରୀଡ଼ାରେ ଇଷିତ ବ୍ରୀଡ଼ା ମିଶ୍ରିତ

କୋଳକରୁଁ ଉଲ୍ଲସିତ ହୋଇ କାମେ ଲଭେ ଶୀତ

ଏ ରୂପେ ଯେ ପ୍ରଶଂସିତ ପୁଂସ ଯୋଷିତ

ରସିକେ ବିଚାର ବସି ତ

ରାମା ସମାନ ସୁଷମା କଉଁ ଭୂଷିତ ।୯।

 

ବିପରୀତେ ସେ ରସିବା ଲାଜେ ନ ଚାହିଁ ହସିବା

ଉହୁଁ ଉଁହୁଁ ନା ଭାଷିବା ଝୁଲି ବସିବା

ମାର ଶରେ ଉଲ୍ଲସିବା ଉରେ ଉରଜ ଠେସିବା

କକ୍ଷରେ ନଖ ଭୁଷିବା ବେଳେ ମିଶିବା

ମୁଖୁ ଝାଳ ଝରି ଆସିବା

ଶୋଭା ଦେଖିଛି ଯା’ଠାରେ ପ୍ରସନ୍ନ ଶିବା ।୧୦।

 

ଚିତ୍ତେ ବିଚାର ସଂସାର ଭିତରେ ନାରୀ ସେ ସାର

ଯେଣୁ ପୁରୁଷ ବିସାରକୁ ସେ କାସାର

ମାର ତାପେ ଘନସାର ନିଜେ ଅଟଇ ତୁଷାର

ହାସୀ-ବିହୀନେ ବୃଷାର ପଦ ଅସାର

ଖଞ୍ଜନ-ଗଞନ-ଦୃଶାର

ବିନା,ଚିତ୍ତ ସୁଖ କେ କରିବ ପ୍ରସାର ।୧୧।

 

ଉଜ୍ଜ୍ଵଳ ଚନ୍ଦ୍ର କିରଣ ମନ୍ଦ ଗନ୍ଧ ସମୀରଣ

ଉପବନ ସଞ୍ଚରଣ ଷଟଚରଣ

କୋକିଳାଦି ଉଚ୍ଚାରଣ ନାନା ବିଳାସ କରଣ

କାର୍ଯ୍ୟକୁ ଏକା ବାରଣ ଗତି କାରଣ

ତା ବିହୀନେ ନାହିଁ ଶରଣ

ବିଷ ପରି ଦିଣଇ ଏ ଉପକରଣ ।୧୨।

 

କେ ଯୋଗୀ ବୃଷକେତନୁଁ ସେ ନାରୀରେ ଅର୍ଦ୍ଧ ତନୁ

ଗଙ୍ଗାରସେ ସାୟଂତନୁ ମାତେ ଯତନୁ

କେଡ଼େ ପ୍ରଭୁ ନନ୍ଦ ତନୁ ଜ ହିଁ ସେ ବ୍ରଜ-ସୁତନୁ

ମାନଙ୍କୁ ବିକିଲେ ତନୁରତିରତନୁ

କି କରଇ ନାହିଁ ଅତନୁ

କେ ବଞ୍ଚିବ ବାଳା-ମୋହ-ନେତ୍ର-ପତନୁ ।୧୩।

 

ଏକ ନିଉନ ସତର ବରଷୀ ପ୍ରେମ ଉତ୍ତର

ଶୁଣି କେ କିଣା ପତର ନ ଦେବ ତର

ଅମୋଘ ମୋହ-ମନ୍ତର ବନ୍ଦୀ-ମନ୍ଦିର ଚିତ୍ତର

କେ ନୋହିବ ତା ଚାତର ଚାହିଁ ଚାତର

ଇନ୍ଦ୍ର ଜାଲିକତା ନେତ୍ରର

ବାଇ କରିଦେବା କଥା ତାକୁ ଇତର ।୧୪।

 

ଯଉଁ ରସିକ କୁଞ୍ଜର ଗମନାକୁ ମନୋଜର

ଶ୍ରମେ କରି ଜରଜର ଫେଡ଼ି ପଞ୍ଜର

ନ ଦିଶନ୍ତି, ମନୋଜ ଜର

ନ ଜାଣେ ସେ; ତା ପୁଣ୍ୟ ଭାଗ୍ୟ କି ଆଜର ।୧୫।

 

କାମେ ହୋଇ ଅଶକତ ଅଳ୍ପ ଘୁମାଇ ରକତ-

ପଦ୍ମାକ୍ଷ-ଓଷ୍ଠ-ବ୍ୟକତ-ହାସ-ଯୁକତ

ସୁରତ ଶ୍ରମ ନକତ ଉଜାଗରୁ ଅଶକତ

ଗତି ଦର୍ଶନ-ଭକତ ନିଶ୍ଚେ ମୁକତ

ସେ ବେଶ ମୋହିବ ଶୁକ ତ

ଶୁଖିଯିବ ଦେଖି ଶିବ ଦେହୁଁ ରକତ ।୧୬।

 

ଘଟଣ-ଘଟ-ଉରଜେ ଥରେ ଦେଇଛି କର ଯେ,

କିବା ଟିପିଛି କରଜେ କର୍ପୂର ରଜେ

ମଳୟ-ଜ ଅତର ଯେ ଗୋଳି ବୋଳିଛି, ସୁର, ଯେ

ତାକୁ ନିଊନ ସେ ରଜେ କାମିବରଜେ

ଯେ ରତାନ୍ତେ ସଜ ସରଜେ

ନାଗର ଭୂପତି ସମ୍ପତ୍ତି ସେ ଅରଜେ ।୧୭।

 

ପଲଙ୍କେ ଶେଯ ପଡ଼ାଇ ଶୋଇ ହୃଦେ ପହୁଡ଼ାଇ

ରାମାକୁ ଭିଡ଼ି ଭିଡ଼ାଇ ଥାଇ ଜଡ଼ାଇ

ଗୁପତେ ଦୀପ ଘୋଡ଼ାଇ ସର୍ବାଙ୍ଗୁ ବାସ ଫେଡ଼ାଇ

ସେ ଯେ ଢାଙ୍କୁଣୀ ଛଡ଼ାଇ ଘର ବୁଡ଼ାଇ

କନ୍ଦର୍ପର ଦର୍ପ ତଡ଼ାଇ

ରତି-ପଣ୍ଡିତ-ପତକା ସେହୁ ଉଡ଼ାଇ ।୧୮।

 

ଯାହାର ନାହିଁ ରମଣୀ ତାର ଜନ୍ମ ବୃଥା ମଣି

ଯା ବିନା ରୟଣୀ ମଣି ହୋଏ ଦ୍ଵିମଣି

ଅଟେ ସେ ପାପ କର୍ମଣୀ ଦିବ୍ୟ ମୁକ୍ତା ଶ୍ରେଣୀ ମଣି

ପ୍ରତେ ହୁଏ ଯଥା ଚନ୍ଦ୍ରଚୂଡ଼ସ୍ଥ ମଣି

ବାଳା ଲୀଳା ଅନୁକ୍ରମଣି

ଯେ ନ ଜାଣେ ସଂସାରେ ମାତ୍ର ତା ଭ୍ରମଣି ।୧୯।

 

ନୟନ ଲଲାଟ ଇବ ବନ୍ଧୁ ମୋ ପାଶେ ହୋଇବ

ହୃଦୁ ଅଲଗେ ଶୋଇବ କଲା ଦଇବ

ଓଷ୍ଠଁ ସୁଧା ନ ପିଇବ ତାର ଯେବେ କେ ଜୀଇବ

ମାର ଶରରେ ଦଇବ ତରଛାଇବ

ସତେ ଏତେକାଳ ପାଇବ

ବ୍ରଜନାଥ ଶୁଣିବ ସେ ବୀଣା ବାଇବ ।୨୦।

 

୧। ରସୀ=ରସିକା ।

୨। ବିସାର=ମାଛ ।

୩। ଘନସାର=କର୍ପୂର ।

୪। ବୃଷା=ଇନ୍ଦ୍ର ।

୫। ବାରଣ=ହାତୀ ।

୬। ନକତ=ନକ୍ତ=ରାତି ।

୭। ରୟଣୀ ମଣି=ଚନ୍ଦ୍ର ।

୮। ଦ୍ଵିମଣି=ସୂର୍ଯ୍ୟ ।

୯। ଚନ୍ଦ୍ରଚୂଡ଼ସ୍ଥ ମଣି=ସର୍ପ ।

୧୦। ଇବ=ପରି ।

***

 

ସପ୍ତମ ଛାନ୍ଦ

ସିଂହାବଲୋକନ-ଶୃଙ୍ଖଳା

ରାଗ-ବଙ୍ଗଳାଶ୍ରୀ

 

ଋତୁ ଅନ୍ତେ ଲଭି ପ୍ରାଣ ବଲ୍ଲଭୀ କି

କହଇ କୁମାର ବର ।

ବର-ବରନୀରେ କି ଦଶା ପଡ଼ୁଛି

କି ପାଞ୍ଚିଛି କୁଶଧର ।୧।

 

ଧରଣୀ-ପତି ତ କାର୍ଯ୍ୟ ବିଷୟରେ

ପେଷୁଛନ୍ତି ବିଦେଶକୁ ।

ଶକୁନ୍ତ ପକ୍ଷ ହୀନ ଥିଲା ପରାଏ

ହୋଇ ହରିବି ଦିନକୁ ।୨।

 

ନକୁଳ-ଅହି ନ୍ୟା-ୟରେ ତ ପୀରତି

ରତି ପତିର ମୋହର ।

ହରିଣୀ-ନୟନା ତୋ ସହାୟେ ସିନା

ତାକୁ ନ ଥାଇ ମୋ ଦର ।୩।

 

 

 

ଦର-କଣ୍ଠି କଣ୍ଠୀ ରବ-କଟି ଚକ୍ର

ଆକାର କରିବ ଧନୁ ।

ଧନୁ-ମାସର ସରସିଜ ପରାଏ

ସଢ଼ାଇ ଦେବ ମୋ ତନୁ ।୪।

 

ତନୁ-ଦରୀରେ ତନୁରୁ ତନୁ ଭିନ୍ନ

ସହି ତ ନୁହଇ ଲବ ।

ଲବଣୀ ଅଙ୍ଗୀ ନ ଦେଖିଲେ ତୋତେଏ

ଆଖି ନିଶ୍ଚେ ଫୁଟିଯିବ ।୫।

 

ଜୀବନ-ଗଳା-ମାଳା ଡୋଳା ପିତୁଳା

ବୋଲି ଡାକିବି କାହାକୁ !

ହା କୁଳିଶ-ହୃଦ ଫାଟିଯା ଫାଟିଯା

ନ ବଢ଼ାଉଁ ମୁଁ ପଦକୁ ।୬।

 

ପଦକୁ ପଦ ପ୍ରମୋଦେ ଫୁଲୁଥାଇ

ଶୁଣି ତୋ ସ୍ନେହ ବଚନ ।

ବଚନ-ରତି ରୀତି ସହି ସୂଚଇ

ଅଧରେ ସ୍ମିତ ସଂଚନ ।୭।

 

ସଂଚ-ନବ-ଘନ କୁନ୍ତଳାରେ ଏହା

ଭାବି ଯିବ ପରା ଜୀବ ।

ରାଜୀବ ନୟନା ତୋତେ ଚାହୁଁ ଚାହୁଁ

ଯିବାକୁ ସତ ବଳିବ ।୮।

 

ବଲ୍ଲୀ ବନାଗ୍ନିରେ ଦହି ହେବା ପରା

ତୁହି ହେବୁ ମାର-ଶରେ ।

ରସରେ ଥାଇ ର ସିବାର ଅନ୍ଧାର

ବିହିବ ଧନୀ ବାସରେ ।୯।

 

ନିବାସରେ ଦିଗ ବାସ-ପର ଦଣ୍ଡ-

ବଶେ ବୁଦ୍ଧି ହେବ କାରା ।

ହେ , ବକା-ରାତି ଏତେ ଦଣ୍ଡ ବିହିଲି

ବୋଲିବୁ ରମଣୀ-ହୀରା ।୧୦।

 

ମଣିହିଁ ରାମାମ ଣି ହୃଦ ଦେଶରେ

ପାଲଟିବ ଆଶୀ ବିଷ ।

ଆସି ବିଷମ ସମୟ ତ ହୋଇଲା

ସଇଲା ପରାଣ ଆଶ ।୧୧।

 

 

 

ରାଣ ଆସ-ବେଶ କରି ଦେଖଇଁ ମୁଁ

ନୟନ ହେଉ କୃତାର୍ଥ ।

ଉଁକୃତାର୍ଥ ଛଳ କେ ଜାଣି ପାରିବ

ରତେ ହୋଇ ସମରଥ ।୧୨।

 

ସମର ଥୟେ ନ କରି ଯେ ମନ୍ମଥ

ଡରେ ହୁଏ ଥରହର ।

ଥର ଥରକେ ପଳାଇ ଯାଏ ଚାପେ

ନ କରି ସନ୍ଧାନ ତୀର ।୧୩।

 

ଧନ ତୀର ହୋଇ ଥିଲାକୁ ଲାଗଇ

ଭାସି କାମନଦ ରସେ ।

ମନ-ଦର ସେ ଏ ଥର ବଢ଼ାଇବ

ଅହର୍ନିଶେ ସରବାଂଶେ ।୧୪।

 

ସେ ଶର ବାଂଶେ ଯୋଖିଣ ଲାଖ କରି

ବିନ୍ଧିବ ମୋ ଦେହ ଟିକି ।

ମୋ ଦେହ ଟିକି ଟି କି କଲେ ହୋଇବ

ରେ ବଲ୍ଲଭା ସାହା କେ କି ।୧୫।

 

ଭାଷା ହା କେକୀ କୁ ନ୍ତଳା ଆସୁନାହଁ

ଚିତ୍ତର ମାର-ବିରହେ ।

ତର ମାର ବୀର ହେବ ଯମ ସମ

ରଖ ଅନ୍ଧକାରାତି ହେ ।୧୬।

 

ଅନ୍ଧକାରାତି ହେ ବନ ଦେଖିବାରୁ

ତୋ ଆସ୍ୟ ନିଶେଶକୁ ।

ଆଶ ନିଶେଷକୁନ୍ଦନାଙ୍ଗୀ ଛାଡ଼ୁଛି

ନିସ୍ତୋକ ଅପଘନକୁ ।୧୭।

 

ସ୍ତୋକ ଅପଘନକୁ ଯଥା ମୁଁ ତଥା

ତୋ ବିଷୟେ ତତପର ।

ଏ ତତପର ଫଳ ମୋର ତୋତେ ଯା

ବସାଉଛି ଅଙ୍କପର ।୧୮।

 

କପରଦ-ଧର ପର-ପରତାପ

କେ ପୁଣି ଅବା ସହିବ ।

ସହୀ ବଦନକୁ ଚାହୁଁ ଚାହୁଁ ତୋର

କେହି ଯିବି ମନ ହେବ ।୧୯।

 

 

 

ନହେ ବସୁଧା ଗାର ଗାରୁଁ ଗାରୁଁ ତୋ

ନ ସରିବ ରାତ୍ରି ଦିନ ।

ତ୍ରି ଦିନ ଅନ୍ତର ସହି ନ ପାରୁ ତ

ମୋରେ ହୋଇ ଏକ ମନ ।୨୦।

 

କମନ ଶମନ ସମାନ ହୁଏ ତ

ବିମାନ ମାତ୍ରକ ପାଇ ।

କମ୍ପାଇ ଦିଅଇ ଶରେ ଶରୀର ତ

ରତ ହେବା ଯାଏ ତୁହି ।୨୧।

 

ଏ ତୁହୀନ କର ହୁଏ ଦିନକର

ନୋହିଲେ ତୋ ଚତୁରକ୍ଷ ।

ତୁ ରକ୍ଷକ ମୋରପ୍ରୀତିକି ଆମ୍ଭର

ନାହିଁ ରେ ସଂସାରେ ଲକ୍ଷ ।୨୨।

 

ରେ ଲକ୍ଷଣ-ବତୀ ସ୍ନେହ-ହୀନ-ବର୍ତ୍ତୀ

ପ୍ରାୟ ହେଉଛି ମୋ ଦଶା ।

ମୋଦା ସାଗରେ ମ-ଜ୍ଜିଥାଇ ମୋ ଦର

ତିରେ ନ ଥାଇ ସୁରସା ।୨୩।

 

ସୁର-ସାମନ୍ତ-ପ-ଦ ଛାଡ଼ି ବୁଡ଼ିବି

ଏଥର ଚିନ୍ତା-ଅର୍ଣ୍ଣବେ ।

ଅନ୍ନ ବେଶ ବାସ ସବୁ ହେବ ବିଷ

ତୋ ଭାବ ଅଭାବେ ଏବେ ।୨୪।

 

ଏ ବେନି ନୟନ ଫୁଟିଯିବ ଧନ

ତୋତେ ନ ଦେଖି ସ୍ଵଚ୍ଛନ୍ଦେ ।

ଛନ୍ଦେ ମନ୍ଦ କନ୍ଦ-ରପ ଦ୍ଵନ୍ଦ କରି

ନାଶିବ ମୋତେ ବିପଦେ ।୨୫।

 

ପଦେ ସ୍ନେହ କହ ହୃଦେ ଥୋଇ ଥାଇଁ

ବିଦେଶ–ସଙ୍ଖାଳି କରି ।

କରି-ଗମନା ଘେ-ନିଥିବୁ ମୁଁ ଦାସୀ

ଆଶେ ଅଛି ଅନୁସରି ।୨୬।

 

ଶରୀରରେ ତୋର ତାର ଅଳଙ୍କାର

ଖଞ୍ଜୁଅଛି ମନ ହେଜି ।

ହେ ଜୀବନ ଧନ ଅଳତା ଦେଉଛି

ମାଜି ପଦ ନଖରାଜି ।୨୭।

 

 

 

ରାଜି ରାଜିବ ମୁ ଖୀ ତୋତେ କରାଇ

ଲେଖୁଛି ପତ୍ରାଳୀ–କମ ।

କମଳ-ମୁଖ ପୋ-ଛି ଦେଇ ଲଲାଟେ

ରଚୁଛି ଚିତା ସୁଷମ ।୨୮।

 

ସମୟ ଜଗି ଭୁ-ଞ୍ଜାଇ ଦେଉଅଛି

ଭାଙ୍ଗି ନାଗବଲ୍ଲୀ ଦଳ ।

ଦଳନ କରି ହ-ରିଣ ନୟନରେ

ରଞ୍ଜୁଛି ସରୁ କଜ୍ଜଳ ।୨୯।

 

ଜଳ ଝରୀ ଘେନି ଜଳଜ ନୟନୀ

ରହିଛି ଅନୁବରତ ।

ରତ ଶ୍ରମ ଚାହିଁ ବିଞ୍ଚଣୀରେ ମୁହିଁ

ବିଞ୍ଚି ଦେଉଛି ସଂଘାତ ।୩୦।

 

ଘାତକ ବିଧାତା କରୁଛି ଏ କଥା

ଆୟତ୍ତ ନାହିଁ ମୋହର ।

ହରଷରେ ଚାହିଁ ମେଲାଣି ଦେ ସହୀ

ହକରାନ୍ତି ନୃପବର ।୩୧।

 

ବର ବରନୀ-ବ-ର ଏ ଗୀର ଶୁଣି

ବରଷାଏ ନେତ୍ରୁଁ ଜଳ ।

ଜଳପିବ କିସ ଗଳ ଦେଶେ ଠୁଳ

ହେଉଛି ଊର୍ଦ୍ଧ୍ୱ ଅନିଳ ।୩୨।

 

ନୀଳ କାନ୍ତି ପର-କାଶ କରେ ତାର

ତାର ଅରୁଣ-ଅଧର ।

ଧରଣୀ ଭୂଷା ଏ ଦଶା ଦେଖି କାନ୍ତ

କୋଳକଲା ତତପର ।୩୩।

 

ପରସନ ସେବା ପଟୁ ଚାଟୁ କହି

କହି ସହୀ ସହି କଲା ।

କଳାପୀ-କଳାପ-ଚୂଳ ଚିନ୍ତି ଚିତ୍ତେ

ମେଲାଣି ହୋଇ ସେ ଗଲା ।୩୪।

 

ଗଳାରୁ ହାର ବା-ହାର କରି ହୁହେଁ

କଲେ ପାଲଟ ବନ୍ଧନ ।

ଧନ-ପତି-ପଦ ପଦେ ଫିଙ୍ଗି ଦେଇ

ଜାଣୁ ଜାଣୁ ହେଲେ ଦୀନ ।୩୫।

 

 

 

ଦିନ ଗୋଟିକ କୋ-ଟି କଳ୍ପ ହୋଇବ

ଦଇବ କଲା ଏମନ୍ତ ।

ମନ୍ତର ଅନଙ୍ଗ-ନାଗ ଦଂଶନକୁ

ନାହିଁ, କହେ ବ୍ରଜନାଥ ।୩୬।

 

୧। ଦିଗବାସ=ମହାଦେବ ।

୨। ପର=ଶତ୍ରୁ ।

୩। ଅନ୍ଧକାରାତି=ଅନ୍ଧକ+ଅରାତି=ମହାଦେବ ।

୪। ଅନ୍ଧକାରାତି=ଅନ୍ଧକର+ଅତି=ଅତିଶୟ ଅନ୍ଧାର ।

୫| କେହି=କିପରି ।

୬। ନହେ=ନଖରେ ।

୭। କମନ=ମଦନ ।

୮। ତିରେ=ର, ଳର ସାମଞ୍ଜସ୍ୟ ହେତୁ-ତିଳେ ।

୯। ତାର=ଉଜ୍ଜଳ ।

୧୦। ଜଳପିବ=କହିବ ।

***

 

Unknown

ଅଷ୍ଟମ ଛାନ୍ଦ

(ରାଗ–ଚକ୍ରକେଳି)

 

ପ୍ରିୟବତୀ ବିନା ଅତି କାତରେ ।

ବିରହରେ ସେ କୁମାର ଆତୁରେ ।୧।

 

ଗୁଣ ଗଣ ଗୁଣି ଗୁଣି-ଭୂଷଣ ।

ଦିବା ରାତ୍ରେ ଲଭେ ଅତି କଷଣ ।୨।

 

ନେତ୍ରୁ ଲୁଅ-ରସ କରେ ବରଷା ।

ତିନ୍ତି ତନୁ ପଙ୍କିଳ ହୋଏ ରସା ।୩।

 

ହାର ଫୁଟି ଫୁଟି ଯାଇ ତାପରେ ।

ସୂତ୍ର ମାତ୍ର ଅଛି ଉର ଉପରେ ।୪।

 

ସ୍ଵପ୍ନେ ନାହିଁ ଅଶନ ଦରଶନ ।

ଲପନରେ ନାହିଁ ଲବେ ପ୍ରସନ୍ନ ।୫।

 

ଦୁର୍ବଳତା ହୋଇବାରୁ ପ୍ରବଳ ।

ଦଣ୍ଡେ ନ ଛାଡ଼ନ୍ତି ସଖା କେବଳ ।୬।

 

ଓଷ୍ଠ ଶୁଖି ବଚନ ନ ଆସଇ ।

ଏଣୁ ନିରୋଷ୍ଠରେ କଷ୍ଟେ ଭାସଇ ।୭।

 

ନିରୋଷ୍ଠ

 

ରସ ନିଧିର ସନ୍ନିଧି ଛାଡିଲି ।

ସୁଧା ସଂଧାନ ନକରି ଏଡ଼ିଲି ।୮।

 

ଏଣି-ଈକ୍ଷଣୀ କି ଦେଲି ଆରତ !

ଜାଣି ଚଳାଇଲି ଅଙ୍ଗେ କରତ ।୯।

 

କହୁଁ କହୁଁ ଏହା ତା କଣ୍ଠ ଶୁଖେ ।

ସରୋଷ୍ଠରେ ଚିନ୍ତା କରେ ବିମୁଖେ ।୧୦।

 

ସୋଷ୍ଠ

 

ବାମାପୂର୍ବ ମୋ ଭୀମ ପୂର୍ବ ପାପୁଁ ।

ବାମ ଭୀମ ପ୍ରାଭବ ଭସ୍ମ-ବପୁ ।୧୧।

 

କୋରିକିତ କରେ ମଣ୍ଡି ଶିରକୁ ।

କରେ ଏକାକ୍ଷରେ ସ୍ତୁତି ହରଙ୍କୁ ।୧୨।

 

ଶଶ ଶାଶ୍ୟ ଶେଶ ଶଶେଶ ଶଶ୍ୟ ।

ଶ୍ରୀଶ ଶିଶୁ ଶୁଶୀ ଶେଶାଶ ଶଶ ।୧୩।

 

ଏଥି ଉତ୍ତାରେ ଦଶ ଅବତାରେ ।

କରେ ସ୍ତୁତି ବେନି ବେନି ଅକ୍ଷରେ ।୧୪।

 

ମୀନ ନନମ୍ୟ-ମାନ ମାନ୍ୟ ନାମ ।

କୁର୍ମ କର୍ମକ ମର୍ମ ମୋ କୁକର୍ମ ।୧୫।

 

କୁଲାଳକ କୋଳ କକଳା କଳ ।

ଲୀଳା ଲୁଲୋଳ ଲୋକାକୁଳ କାଳ ।୧୬।

 

ସିଂହ ହସାସ୍ୟ ଶିଷ୍ୟ ହିଁସା –ସହ ।

ହେ ସୁହାସୀ ସହସା ସାହା ସହ ।୧୭।

 

ଦାତା ଦୈତ୍ୟ ଦାତୃତା ଦ୍ଵିଦ୍ୟୋତିତ ।

କ୍ଷିତି କ୍ଷତ୍ରିୟ ତତି କ୍ଷିତେ କ୍ଷାତ ।୧୮।

 

ଦଶ-ଦିଶେଶ ସଦା ଆଶା-ଶ୍ୟାଶୀ ।

ଦ୍ଵିହଶ ଦୃଶ ସୁଦଶା ଦ୍ଵିଦେଷୀ ।୧୯।

 

ରାମା ରରମ୍ୟ ରାମ ରରେ ରମ୍ୟ ।

ମମ ମୋହହ ହେ ମହା ମହିମ ।୨୦।

 

ବୁଦ୍ଧା-ବୁଦ୍ଧ ବିଦ୍ଧ ବୌଦ୍ଧ ବାନ୍ଧବ ।

ବିଧି ବିଧି ବଧ ବୋଧାଧି ଧବ ।୨୧।

 

କଳ୍‍କୀ କଳିକାଳ-କେଳି-କଳକ ।

କୋପୀ ପଙ୍କାକ ପାପୀଙ୍କ କମ୍ପକ ।୨୨।

 

ଚିତ୍ତେ ଅତନୁ ମହା ଜମକରେ ।

ଚିନ୍ତେ ଅତନୁ ମହା ଯମକରେ ।୨୩।

 

ନନ୍ଦ ନନ୍ଦନ ନନ୍ଦନ ନନ୍ଦନ ।

ମଦ ମଦ ମନ୍ଦ ନ୍ଦ୍ଵନ୍ଦ ମଦନ ।୨୪।

 

ବେନି ଅକ୍ଷରେ ଲୁଅ ପୁର୍ଣ୍ଣକାରୀ ।

ତିନି ଅକ୍ଷରେ ସ୍ତୁତି ପୁଣି କରି ।୨୫।

 

ନମୋ–ନମ ମନୋଜ ମୀନ-ଜନ୍ୟ ।

ଜନ-ମନ ମଜ୍ଜନ-ମାନ ମାନ୍ୟ ।୨୬।

 

ପୁଣି ଦରଭରେ ମହା କ୍ରୋଧରେ ।

ନିନ୍ଦା-ଗର୍ଭ କରିଣ ସ୍ତୁତି କରେ ।୨୭।

 

ସୁରାନୁରାଗୀ ଅଟୁ ପୁଣ୍ୟଜନ ।

ଦେବ-ପର ତୁ ଅସୁର ମଣ୍ଡନ ।୨୮।

 

ଭ୍ରମରର ଝଙ୍କାର-ନାଦ ଶୁଣି ।

ତିନି ବର୍ଣ୍ଣ ନାମେ ତା’ କହେ ବାଣୀ ।୨୯।

 

ରାମା ରାମା ଭ୍ରୂରେ ଭରମ ଭର ।

ମୋର ମର୍ମ ମା ଭରମ ଭ୍ରମର ।୩୦।

 

ପୁଣି ବିଧୁରେ ତା ଚତୁରାକ୍ଷରେ ।

ଭଣେ ବିଧୁରେ ତା ଚତୁରାକ୍ଷରେ ।୩୧।

 

ତାର–କେଶ ତୋର ତାର-ତର ତ ।

କାନ୍ତା ରତା-ତୁରୀ ର ତ କରତ ।୩୨।

 

ସଂସାରେ ତ ସ୍ମର ତୋର ସୁରତି ।

ତୋର ରୋଷକୁ ସରି କା ଶକତି ।୩୩।

 

ତା’ର ଆକାର ବର୍ଣ୍ଣ ସୁଷମାରେ ।

ତାର ଆକାର ବର୍ଣ୍ଣେ ସ୍ତୁତିକରେ ।୩୪।

 

ଦାରା ତାରା ବାଳା ମାଳା ମା-ହାରା ।

ଶ୍ୟାମା ରାମା ବାମା କାମା ସାକାରା ।୩୫।

 

ପଞ୍ଚାସ୍ୟ ସେ ପଞ୍ଚା କରି ଶଙ୍କରେ ।

ପଞ୍ଚାକ୍ଷରେ ତାଙ୍କର ସ୍ତୁତି କରେ ।୩୬।

 

ନମୋ ଶିବ ଶିବେଶ ଶିବମୟ ।

ଶଶି-ଯଶା-ଶ୍ରୟେଣ ଶୟ-ଶୟ ।୩୭।

 

ଷଡ଼ାକ୍ଷର ଜେ ଗଉରୀ-ମହେଶେ ।

ଷଡ଼ାକ୍ଷରେ ତାହାଙ୍କୁ ଭାବେ ଶେଷେ ।୩୮।

 

ଶିବାର୍ଦ୍ଧ-ତନୁ ଶିବୋନ୍ନତ–ଶାୟୀ ।

ଯଶ-ଧନ୍ୟାଧି-ନାଶ ସିଦ୍ଧି-ଦାୟୀ ।୩୯।

 

ସପ୍ତାର୍ଚ୍ଚିତ-ତେଜରେ ଛାୟା ଈଶେ ।

ସପ୍ତାର୍ଚ୍ଚିତ-ବର୍ଣ୍ଣେ ସ୍ତୁତି କଲା ସେ ।୪୦।

 

ଦିବସ-ପତି ମହତ୍ତ-ମହନ୍ତ ।

ଦିବ-ଶ-ପତି ମହତ୍ତ ମହନ୍ତ ।୪୧।

 

ଅଷ୍ଟାକ୍ଷରେ ଚାରୁ ଚାରି-ବଦନ ।

ଅଷ୍ଟାକ୍ଷରେ ଏ ବିଚାରୁ ବନ୍ଦନ ।୪୨।

 

ବର ଚତୁର-ମୁଖ କୁଶକର ।

ବରେ ଚତୁର ମୂର୍ଖ-କୁ ତ କର ।୪୩।

 

ନବ ବର୍ଣ୍ଣ ଘନ ନଭ ସଞ୍ଚାରେ ।

ନବ ବର୍ଣ୍ଣ ଘନ ସ୍ତୁତି ଉଚ୍ଚାରେ ।୪୪।

 

ଜଳ ବିଦ୍ୟୁତ୍ତରଳ-ରସମୟ ।

ଜଳ ବିନ୍ଦୁତର ତୋର ସମୟ ।୪୫।

 

ଦଶାବତାର-ମୂଳ ରାଧା-ପତି ।

ଦଶ ବର୍ଣ୍ଣରେ ଏଣୁ କରେ ସ୍ତୁତି ।୪୬।

 

ବ୍ରଜପୁର ତରୁଣୀଙ୍କ ମୋହନ ।

ପୀତାମ୍ବର ବେଣୁକର ମୋହନ ।୪୭।

 

ସର୍ବ ବର୍ଣ୍ଣମୟ ପରମା-ନନ୍ଦେ ।

ସର୍ବ ବର୍ଣ୍ଣେ ସ୍ତୁତି ଭାଷେ ଅନନ୍ଦେ ।୪୮।

 

ଶଂଖ ଚକ୍ର ଗଦା ବନଜ ହାଥ ।

ଟାଳ ମୂଳ ଠୁଳ କ୍ଷୋଭ ପ୍ରମତ୍ତ ।୪୯।

 

ଝସ ସଜ୍ଞ୍ୟ ଧନ୍ୟ ଫେଡ଼ ଛରାଗ ।

ବର୍ଣ୍ଣାବଳୀ ସ୍ତୁତ୍ୟ ନମୋ ନୃସିଂହ ।୫୦।

 

ମୂଢ଼ ଦୋଷ ଧୈାତ ହେଉ ହୃଦରୁ ।

ଯଶୋଦା ନନ୍ଦନ କଳପ ତରୁ ।୫୧।

 

ବାତୁଳ କାହିଁ ପାଇବ ତୋ ପଦ ।

ପୁନଃ ପୁନଃ ପିଏ ବିଷୟା ମଦ ।୫୨।

 

ମନ୍ଦ ବାତେ କମ୍ପନ ଲତା ଦେଖି ।

ପୁଣ ଭୃଙ୍ଗ ଝଙ୍କାର ଅନୁଲକ୍ଷି ।୫୩।

 

ପିକ-ଡାକ-ସୁରେ ଡରେ ଭଣଇ ।

ଏ ଏ ଅ ଏ ଆ ଓ ଓ ଊ ଉଇଁ ।୫୪।

 

ଆଉ ଏ ଲୁ ଆ ଋ ଉଋ ଆ ଲୁ ଅ ।

ନ ଦିଶଇ ଦିବସେ ରାତ୍ର ଉହ ।୫୫।

 

ଭ୍ରମେ ରାମା ରାମାକୁ ଦେଖି ପାଶେ ।

ଶ୍ଳୋକ ଗୀତରେ ଦୁହିଁକି ସେ ଭାଷେ ।୫୬।

 

ବନ୍ଧୁ ଜୀବ-ରୁଚିରାଧର-ରାମା ।

କେଳି କୈାତୁକ ପରାଜିତ କାମା ।୫୭।

 

ପୁଣି ଉନ୍ମତ୍ତେ କାନ୍ତାକୁ କହେ ସେ ।

ହିନ୍ଦୁସ୍ଥାନୀ ଓଡିଆ ଭାଷା ରସେ ।୫୮।

 

ତୁ , ମୁଝେ ଅବନୀ ସାର ମନରେ ।

ଆସି ତାପ ହର ମୋହିନୀ ବାରେ ।୫୯।

 

ଗୁରୁ ସୂନୁକୁ ଗୁରୁ ମୃତ୍ୟୁ ପୁରୁଁ ।

କଲ ରକ୍ଷନ ଶମନ ଭୟରୁ ।୬୦।

 

ବେତେ ଦେବେ କେତେ ଭେଦେ ସେ ଯେତେ

ଭ୍ରମି ଭ୍ରମି ନ ଜାଣିଛନ୍ତି ତୋତେ ।୬୧।

 

ମୀନ ଈନ ଦୀନ ହୀନ ଲୀନ ମୁଁ ।

ତାର ବ୍ରଜନାଥକୁ ଭବ ଭ୍ରମୁଁ ।୬୨।

 

୧| ବିରହ ତାପରେ ମୁକ୍ତା ଫାଟିଯାଏ ବୋଲି କବି ପ୍ରସିଦ୍ଧି ।

 

୨| ବାମାପୂର୍ବ=ବାମା+ଅପୂର୍ବ; ବାମା=ସ୍ତ୍ରୀ, ଅପୂର୍ବ=ଦୁଷ୍ପ୍ରାପ୍ୟ ।

 

୩| ଶଶ=ମହାଦେବ ।

 

୪| ଶାଶ୍ୟ=ତ୍ରିଗୁଣାତ୍ମକ ।

 

୫| ଶେଷ =ମଙ୍ଗଳ ପ୍ରଦ ବା ଅଷ୍ଟୈଶ୍ଵର୍ଯ୍ୟଦାତା ।

 

୬| ଶଣେଶ=ଚନ୍ଦ୍ର ।

 

୭| ଶ୍ରୀଶ=କମଳାପତି ଶ୍ରୀକୃଷ୍ଣ ।

 

୮| ଶିଶୁ=ମଦନ ।

 

୯| ଶୁଶୀ=ଗତି ନାଶକ ଶ୍ରୀଶ ଶିଶୁ ଶୁଶୀ=କାମ ଶତ୍ରୁ ସରଳାର୍ଥ-ହେ ମୃତ୍ୟୁଞ୍ଜୟ, ହେ ତ୍ରିଗୁଣାତ୍ମକ, ହେ ଅଷ୍ଟୈଶ୍ଵର୍ଯ୍ୟ ଦାତା, ହେ ଚନ୍ଦ୍ରଶେଖର, ହେ କାମପର (ମୋର ପ୍ରାଣ ସମା) ବରନାରୀର ଆଶା ପୂର୍ଣ୍ଣ କରନ୍ତୁ (ବାସୁଦେବ) ।

 

୧୦| ନନମ୍ୟମାନ=ଅତିଶୟ ପୂଜନୀୟ ।

 

୧୧| କୋପୀ ପଙ୍କାଙ୍କ ପାପୀକଙ୍କ ପଙ୍କ (ପାଠାନ୍ତର) ।

 

୧୨| ଜେ=ଉତ୍ପନ୍ନ ବା ଜାତି ।

 

୧୩| ଲୀନ=ଅକିଞ୍ଚିତ୍ କର ।

 

୧୪| ତାର=ତାରଣ କର , ଉଦ୍ଧର, ଉଦ୍ଧାର କର ।

 

୧୫| ପଦ (ପ୍ରଥମ ପାଦ) ସରଳାର୍ଥ-ହେ ମୀନରୂପଧାରୀ ହରି , ତୁମ୍ଭର ନାମ ସର୍ବତ୍ର ପୂଜନୀୟ ଅଟେ । ମୁଁ ତୁମ୍ଭଙ୍କୁ ପୁନଃ ପୁନଃ ନମସ୍କାର କରୁଅଛି ।

***

 

ନବମ ଛାନ୍ଦ

ଆଦ୍ୟ ପ୍ରାନ୍ତ ଯମକ

(ରାଗ-ଚିନ୍ତା କେଦାର)

 

ବନ-ପ୍ରିୟ ଡାକନ୍ତେ ଜୀବନ-ବନଜାନନ କରି ଭାବନ

ବନପରାମଣି ସଦନ-କୁମାର, କଲା ଅଶନ ବିଷ ଭାବନ ସେ ସୁନ୍ଦର ।୧।

 

ରମଣୀର ପୀରତି-ପରମ-ରମଣୀୟ-ତା ଛାଡ଼ି ଭରମ

ରମଣର କି ରହଇ ପିକବର, ତୋ ଆଗରେ କହଇ ମରମ ହେ କୋକିଳ ।୨।

 

ଗରଜାଳା ଅନଙ୍ଗ ନାଗର ଗରହୀତ ପୀଡ଼ା ମୋ ଅଙ୍ଗର

ଗରବ ଆସି ଏବେ ମୋର ଭାଗିଲା, ଦୁର୍ବଳରୁ ନ ଚଳଇ ଗର ହେ କୋକିଳ ।୩।

 

ସାର ରତ୍ନ ସେ ରସା ଯୋଷାରେ ସାରସାକ୍ଷୀ ରସ, ମୁଁ ବିସାର

ସାରଣୀ ରତିଧନ କରି କା’ ସଙ୍ଗେ ରଙ୍ଗେ ବାହିବିଟି ପଶା-ସାର ହେ କୋକିଳ ।୪।

 

ମାଳତୀ ହାସୀ କେଶେ ତମାଳ ମାଳ ମେଘ କଜ୍ଜଳ ତମାଳ

ମା ଲକ୍ଷ ନୁହଇ ଏ ନାରୀ ରତନ ହୋଇଥିଲା ମୋର ଗଳାମାଳ ହେ କୋକିଳ ।୫।

 

 

କ୍ଷଣେ ତାକୁ ଚାହିଁଲେ ଈକ୍ଷଣେ କ୍ଷଣେ ବୁଡ଼େ ଚିତ୍ତ ସେହିକ୍ଷଣେ

କ୍ଷଣଦା ଗୋଟିଏ ତା ସଙ୍ଗେ ବଞ୍ଚିବ ଜନ୍ମିଥିଲେ ତ ଶୁଭ ଲକ୍ଷଣେ ହେ କୋକିଳ ।୬।

 

ଯା ଗଙ୍ଗାରେ ଝାସିବା ପ୍ରୟାଗ ଜାଗର୍ତ୍ତରେ କରିଥିବ ଯାଗ

ଜାଗରେ ଜାଗରେ ଶିବ ସେବିଲେ ସେ ମିଳିପାରେ ବା ଜାଗେ ଅଜାଗ କୋକିଳ ।୭।

 

ସୁନାରୀଙ୍କ ମଧ୍ୟେ ଯାର ସୁ-ନାଁ ସୁନାସିକା-ତନୁ ନିନ୍ଦେ ସୁନା

ସୁନାସୀର ପଦ ତେଜି ମହୀପର ଜନ୍ମିଅଛି ସେ କେଉଁ ଦୋଷୁ ନା ହେ କୋକିଳ ।୮।

 

ଆନନରେ ତା’ ଅଛି ଧିଆନ ଆନ ହୋଇ ଯାଉଛି ଗିଆନ

ଆନନ୍ଦ ମୋହର ସଂସାରରେ ସାରସାକ୍ଷୀ ବିନେ କରିବ କେ ଆନ ହେ କୋକିଳ ।୯।

 

ସୀତା ରାଘବ କଣ୍ଠ ଭୂଷିତା ସୀତାଂଶୁ-ଚୁଡ଼ ସଙ୍ଗ ଯୋଷିତା

ସୀତାହିଁ ପିତା ଲାଗୁଛି ମୋତେ, କୋଳେ ନଥିବାରୁ ଇଷିତ ହସିତା ହେ କୋକିଳ ।୧୦।

 

ନୀରଜାକ୍ଷୀ ଦର୍ଶନେ ମୁନିର ନିରତେ ତ ହେବ ସ୍ଵେଦ ନୀର

ନୀରସ କାଷ୍ଠ ପଲ୍ଲବ ଧରିଯିବ ବାଳା କେଳି ନୂପୁର ଧ୍ଵନିର ହେ କୋକିଳ ।୧୧।

 

ନିଆଶ କେ ସେ ସୁର କନିଆ ନିଆଁ ମ ମୋ ଗହନ ବନିଆ

ନିଆଳୀ ଗଭା ଶୋଭା ପ୍ରଭା ଦେଖିଲେ ଯୋଗୀ ଦେହେ ଲାଗିଯିବ ନିଆଁ ହେ କୋକିଳ ।୧୨।

 

ପର-ମୋଦେ ହୋଇ ତତପର ପର-ମଦାକୁ କୋଳି ଉପର

ପରସନ କରି ପାରିଲା ସମୟେ ମୋତେ ସମ ନିକି ବୃକ୍ରପର ହେ କୋକିଳ ।୧୩।

 

ହା ! ସତେ ହେବ ସେହି ମୁହାଁସ ହାସ ମିଶା ରସ ପରିହାସ

ହା ସଙ୍ଗେ ରଙ୍ଗେ ମୁଁ ଶୁଣାଇ ଶୁଣିବି ହେଉ ନାହିଁ ତ ଏଡ଼େ ସାହସ ହେ କୋକିଳ ।୧୪।

 

ହର ଏ ଘୋର ଦୁଃଖ ମୋହର ହର,ତୁମ୍ଭେ ନାଶକ ମୋହ-ର

ହରଷେ ଏହି ଆଜ୍ଞା କର ସତ୍ଵର ତୋର ରମଣୀ ସଙ୍ଗେ ବିହର ହେ କୋକିଳ ।୧୫।

 

କଲି ପୂର୍ବେ ମୁଁ ପାପ ବିକଳି କଳିଯୁଗେ ସେହି ସାର କଳି

କଳିନ୍ଦଜା-ଜଳ-ନୀଳ-କେଶୀ-କେଣ ବାନ୍ଧି ମଣ୍ଡେ ଯେ ମଲ୍ଲିକା କଳି ହେ କୋକିଳ ।୧୬।

 

ଗରଜନେ ଅନଙ୍ଗ ନାଗର ଗର-ବ ମୋ ଗଲାନି ଅଙ୍ଗର

ଗରଗଳ ଆଗେ ଉଜାଗର ଯୋଗେ ପୂର୍ବେ ଜାଳି ତ ନାହିଁ ଜାଗର ହେ କୋକିଳ ।୧୭।

 

ରହରେ ବାନ୍ଧୁଁ କେଶବରହ ରହସେ ବୋଲୁଥାଇ ସେ ରହ

ରହନ୍ତା ଯେବେ ଏବେ ଜୀବ ତା’ ସେବା କରିବାକୁ ହୁଅନ୍ତି ଅରହ ହେ କୋକିଳ ।୧୮।

 

ଶିବ କରିବେ ଭାଗ୍ୟ ଦିଶିବ ଶିବ-କର୍ମ ସତେ ପ୍ରକାଶିବ

ସିବ ବିପରୀତ କୋଳେ ମୋର ଧନ ଶିବ ବଇରୀ ରସେ ତୋଷିବ ହେ କୋକିଳ ।୧୯।

 

ମାନସ ଯେ, ଲଭି ଅପମାନ ମାନସରେ ଗୁଣେ ଗୁଣ ମାନ

ମାନବ-ବରେ ଘେନିବେ ଏ ଗୀତରେ ବ୍ରଜନାଥର ଶ୍ରମମାନ ହେ କୋକିଳ ।୨୦।

 

୧| ମୁହାଁସ (ଦେଶଜ)=ଗର୍ବ ।

 

୨| ବିକଳ=ଦୁର୍ବୁଦ୍ଧିରେ ।

 

୩। ସିବ ବିପରୀତ=ବସି ।

***

 

ଦଶମ ଛାନ୍ଦ

ଆଶୟ

(ରାଗ–କାନଡା)

 

ନଦୀନା ବିନା କୁମାର ମାର-ଶରେ ନିଶ-ବାସରେ ପୀଡ଼ା ପାଇ

ବେଶ,ବାସ,ହାସ,ବିଷ ମଣଇ

ଭ୍ରମର ଝଙ୍କାରେ ଭ୍ରମ ଲଭି ଦରେ ଆଦରେ ତାକୁ ଭଣଇ ସେ । କୁମାର ।

ପିଣ୍ଡ ପ୍ରାଣ ମୋର ଦୂର ହୋଇଛି

ରଣ-ରଣ ବାଣ–ଗଣେ ଛାଇଛି

ମାତ୍ର ଗୁଣମଣି ଗୁଣ-ଗଣ ଗୁଣି ଗୁଣି କେବଳ ଜୀଇଛି ହେ । ମଧୁପ ।୧।

 

ତ୍ରୁଟିଏ ନରହି ଫାଟି ଯାଉନାହିଁ ଶତକୋଟି ହୃଦ ହୋଇଲା

ପ୍ରୀତି ପଥେ ମୋ କଳଙ୍କ ଥୋଇଲା

ନଗର-ନାଗରୀ-ବଦ୍ଧ-ସିଦ୍ଧି-ଛାର-ଗଣେ ମୋତେ ଗଣାଇଲା ହେ । ମଧୁପ ।

ଶୁଣ କହଇ ତା ପ୍ରେମ ରୀତି

ସାର-ସରୁଁ ତ ଜାଣ ସ୍ନେହ-ରୀତି

ଚୁମ୍ଭି ଆନ ଫୁଲ ତୁମ୍ଭେ ତ ପ୍ରଫୁଲ୍ଲ ତା ମୋ ଏକନିଷ୍ଠ ପ୍ରୀତି ହେ । ମଧୁପ ।୨।

 

 

 

ପକ୍ଵ ବିଜପୁର କରେ ଧରି ମୋର ତା ପୁରତେ ଦିନେ ହୋଇଲି

ଏ ସମାନ କା’ ସୁଷମା ବୋଇଲି

କର୍ପୂର ଲବଣ ଦୁହେଁ ଏକ ବର୍ଣ୍ଣ ହସି ବୋଇଲା ଛଇଳୀ ହେ । ମଧୁପ ।

ପୁଣି ବୋଇଲା ଥିଲେ କରଗତେ

ଟେକୁ ନ ଥାଅ କାହାକୁ କି କେତେ

କୁଟଜ ଠାରୁ ସରୋଜ ଯାଏ ଭୃଙ୍ଗ ରଙ୍ଗ କେଳିକରେ ଯେଉଁ ମତେ ହେ । ମଧୁପ ।୩।

 

ଦିନେ ସୁରତାନ୍ତେ ମୋ ପାଶୁଁ ପ୍ରଭାତେ ମେଲାଣି ମାଗି ଯା’ନ୍ତେ ଧନ

ଦେଖି ସେ ଶୋଭା ବୋଇଲି ଜୀବନ

ତୋତେ ଶଶି-ମୁହୀଁ ବୋଲିବାକୁ ମୁହିଁ ଏତେ କାଳେ ଆସି ହେଲା ମନ ହେ । ମଧୁପ ।

ଶୁଣି ବକ୍ରେ ଚାହିଁ ଏହା କହିଲା

ଚନ୍ଦ୍ରମା ହିଁ ତ କଳଙ୍କ ବହିଲା

ମୁକୁର-ବଦନୀ ହେତୁ ଘେନି ମନେ ଆନନ୍ଦ କହି ନୋହିଲା ହେ । ମଧୁପ ।୪।

 

କରି ଆଲିଙ୍ଗନ ବୋଇଲିରେ ଧନ ଧନ୍ୟ ତୋ ବଚନ ଚାତୁରୀ

ଆଜ ଲାଜ-ସାଗରୁ କଲୁ ପାରି

ପାରିକଲା ଲୋକ ପାରି ନୁହଇ କି ହସି ବୋଇଲା ବିଚାରି ହେ । ମଧୁପ ।

ବେଶ କରି ବସିଲେ ତାକୁ ମୁହିଁ

ବେଣୀ, କିଙ୍କିଣୀ ସାମଗ୍ରୀ ଲୁଚାଇ

ଗଳାରୁ ହାର ବାହାର କରି ଧରି କଣ୍ଠେ ମୋ ଆଣି ଲମ୍ଵାଇ ହେ । ମଧୁପ ।୫।

 

ବିପରୀତ ରତେ ଲାଗିଲେ ମୁଁ ଯେତେ ସହି ନ କରେ ପ୍ରାଣ ସହୀ

ମୁଁ ବୋଲଇ ନିରାଶ କିମ୍ପାଇ

କି ହେଲେ ସମ୍ମତି କରିବୁ ସୁଦନ୍ତୀ କହି କିନା ଜାଣିଥାଇଁ ହେ । ସୁନ୍ଦରୀ ।

ବୋଲେ ଶୁଣ ତେବେ ମନ ହରଷେ

ଏକ ରାତ୍ର ମାତ୍ର ମୁଁ ଥିବି ପାଶେ

କନ୍ଦର୍ପ-କେଳି-କୁତୁକ ପାଶୋରିବ ତେବେ ମୋ ସହି ସର୍ବାଂଶେ ହେ । ସୁନ୍ଦର ।୬।

 

ଏ କଥା ହୃଦରେ ଥାଇ କାମ ଦରେ ଆଚରଣେ ନାହିଁ ଭରସା

ଦିନେ ବସିଲି ହୋଇ ଅଫରସା

ସୁରସା ମୋ ପାଶେ ମିଳନ୍ତେ ସୁରସେ ଧୀରେ ଚାହଁଲି ମୁଁ ରସା ହେ । ମଧୁପ ।

କିଛି ନ କହି ହୋଇଛି ମଉନ

ହାସ ବିକାଶ ହୋନ୍ତେ ଘନ ଘନ

ହାଇ ଛଳେ ତା ମିଶାଇ ନିବାରୁଛି ମନକାମେ ଛନ ଛନ ହେ । ମଧୁପ ।୭।

 

ତା ରୂପ ମାଦକ ଲାଗେ ବୋଲି ଦକ-ଦକରେ ନ ଟେକଇ ଶିର

ଚାହିଁ ଚତୁରୀ ରଚେ ଚାରୁ ଗୀର

ଗଣ୍ଡ ମଣ୍ଡଳେ ମଣ୍ଡନ ହୋଇ ନାହିଁ କାହିଁକି ଆଉ ଶ୍ରୀକର ହେ । ମଧୁପ ।

ଧରା ନଖେ ଲେଖିଲେ ହେବ ପରା

 

 

ଯଉଁ ଭଙ୍ଗୀ କି ଯଉଁ ରୀତି ତୋରା

କି ରୂପେ ପୁରୁଷମାନେ ଚାଟୁ କହି ଶିଖିବ ଏଥର ପରା ହେ । ମଧୁପ ।୮।

 

ହୃଦୟ-ପଦକ ଏ ପଦ ପଦକ ଶୁଣି ହୃଦରେ ମୋଦି ପୁରି

ବାହାରକୁ ଉଠୁଥାଇ ବାହାରି

ପୁଲକ ଅଙ୍ଗେ ପ୍ରକାଶ ହେବ ବୋଲି ବସିଲି ଅଙ୍ଗ ସାଙ୍କୋରି ହେ । ମଧୁପ ।

ଧୀରେ ପଦ-ପତନ ଧରାପର

ବଳା , ନୂପୁର କରନ୍ତେ ମୁଖର

ହୋଇ ଅସମ୍ଭାଳ ଉଠି କଲି କୋଳ ବୋଲେ ଏ ଦୋଷ କାହାର ହେ । ମଧୁପ ।୯।

 

କରି ବିବସନ କରିବି ଦର୍ଶନ ସର୍ବାଙ୍ଗ ତାର ଲାଗୁଥାଇ

ନାହିଁ ସହି ଦୁଇକଥା ନ କହି

ନିରତେ ନୀରଜ-ନେତ୍ରେ ଶଶିରଜ ଗୁପତରେ ଥାଇ ବହି ହେ । ମଧୁପ ।

ଶାଢ଼ୀ ରଖଇ ଯେବେ ଭାଙ୍ଗିକରି

ପାଶେ ନ ପଶେ ସେ ଦିନ ଚତୁରୀ

ଦାସୀ ପେଷି ତା ଘେନାଇ ଗଲେ ଆସି ହସି ବୋଲେ ହେଲି ପାରି ହେ । ମଧୁପ ।୧୦।

 

ଚନ୍ଦନ ସିନ୍ଦୂର ଗୋଳିଲେ ମୁଁ ଦୂର ନୋହି ପାଶରେ ବସିଥାଇ

ଯେବେ କସ୍ତୁରୀ ଅଳତା ଗୋଳାଇ

ଚିତ୍ର କାଠି ଉଠି ଆଣନ୍ତେ ବିମ୍ଵୋଷ୍ଠୀ ପିଠି ପାଶେ ବଟିଯାଇ ହେ । ମଧୁପ ।

 

 

 

 

ଯୋଗେ ଯେବେ ଧରା ପଡ଼େ ସେ କ୍ଷଣେ

ମୋତେ ଭୁଲାଇ ସେ ପ୍ରେମ-ଈକ୍ଷଣେ

ନାନା ଭାବ ଦେଇ ରସାଇ ରସଇ ତା ଅଭିମତ ଲକ୍ଷଣେ ହେ । ମଧୁପ ।୧୧।

 

ଦିନେ ଉପବନେ ଫୁଲ ବେନି ଜନେ ତୋଳୁଚୁଁ ବାଛି ନବସ୍ଫୁଟ

ଅବାଟେ ସେ ଚଳନ୍ତେ ଛାଡ଼ି ବାଟ

ମୁଁ ବୋଇଲି ଏଣେ ଆସ ଆସ ତେଣେ ଦେଖ କାନ୍ତାର ସଙ୍କଟ ରେ । ସୁନ୍ଦରୀ ।

ଶୁଣି ବୋଲେ ମୋ ହୁଢ ହେଲା ବଡ଼

ଏଣେ ଏଣିକି କାନ୍ତାରେ ନ ପଡ଼

ଗଣିକା ସୁମନା ତେଣେ ଥିବ ସିନା ଘେନି ତା ବାସ ନ ଛାଡ଼ ହେ । ମଧୁପ ।୧୨।

 

ଏତେ ଭାଷି ବସି ଶ୍ରମ-ପ୍ରେମ-ବାମା-ବିଧିରେ ରସିକା ସିଂହାଣୀ

କିଳ-କିଞ୍ଚିତି ରଚିତ ଚାହାଣୀ

ଆସ୍ୟ ପ୍ରକାଶ କରି କରି-ଗମନା ମନ ଦମ୍ଭ ଦେଲା ହାଣି ହେ । ମଧୁପ ।

ମୁଁ ବୋଇଲି ନ ରୋଷରେ ବାନ୍ଧବୀ

ଛାର ପରାଇ ଏବେ ସେବି ଥିବି

ବୋଇଲା ଏ ନୂଆ ପ୍ରୀତି-ବାଣୀ, ଏହା ଘୋଷୁଥାଅ ଭାବି ଭାବି ହେ । ମଧୁପ ।୧୩।

 

 

 

ଖଞ୍ଜରୀଟ-ନେତ୍ରୀ ପିଞ୍ଜରୀ ପିକକୁ ପଢ଼ାଉଛି ଦିନେ ନିର୍ଜ୍ଜନେ

କାନ୍ତା-କାନ୍ତ-ଉକ୍ତି ସ୍ନେହ-ବଚନେ

ଅତି ଗୁପ୍ତେ ରହି ପାଶେ ତାର ମୁହିଁ ଶୁଣିଛି ତା ଏକମନେ ହେ । ମଧୁପ ।

ପୁରୁଷକୁ କହିବା ବେଳେ ବାଳୀ

ମୃଦୁ-ବାଣୀ ଯୋଗେ ନମ୍ର ମଉଳି

ବାଳାକୁ ପୁରୁଷ ଉକ୍ତିରେ ସୁହାସେ ପୁଲକଇ ଗଣ୍ଡସ୍ଥଳୀ ହେ । ମଧୁପ ।୧୪।

 

ହୃଦୟ ତରଳି ଯାଆନ୍ତେ ସମ୍ଭାଳି ରଖେ, ନାରୀ ଉକ୍ତି ପଢ଼ାଇ

ସ୍ତନୁଁ ବାସ ଖସୁଁ ଧରେ ଓଢ଼ାଇ

ନିବିଡ଼ ନୀବି ଶ୍ଳଥରେ ଇଷି ଭାଷି ଖୋସଇ କର ବଢ଼ାଇ ହେ । ମଧୁପ ।

ଦେଖି ଧନ ଏ ବିକାର ପ୍ରକାର

ଧୈର୍ଯ୍ୟ ବିବେକ ବୁଡ଼ିଗଲା ମୋର

ବୃକ୍ଷାରୋହଣ-ବନ୍ଧ-ସଂଖ୍ୟାଦୀକ୍ଷାକୁ ଶିକ୍ଷାକଲୁଁ ପରସ୍ପର ହେ । ମଧୁପ ।୧୫।

 

ଦିନେ ଦିନେଶ-ଅବସାନେ ବୋଇଲି ଏବେ ନାହିଁ ତ ପୂର୍ବ ତୋର

ବୋଲେ ଆର ଦିଗରେ ଅଛି ପରା

ହେଉ ହେଉ ବୋଲି ଦକ୍ଷିଣକୁ ମୁଖ କରି ବସିଲା ଚତୁରା ହେ । ମଧୁପ ।

ହେଲୁ ଦକ୍ଷିଣ ବେଇଲି ଛଳନା

 

 

ହେବି ଅବା ଯିବି ବୋଇଲା

ସିନ୍ଦୂର ତା ଇନ୍ଦୁ ମୁଖେ ଦେଇ ନେତ୍ରେ ଲୋତକ ବିନ୍ଦୁ ଥୋଇଲା ହେ । ମଧୁପ ।୧୬।

 

ଜୀବ ଯିବାପରି ହୋଇ ଜବାଧରୀ ପାଦ ଧରି ହେଲି ବିନୋୟୀ

ତୋଳି କର ନେଇ ଶିରେ ଲଗାଇ

ବୋଲେ ପଡ଼ି ଚିହ୍ନା ପଛେ ପୁଣି ମନାରମ୍ଭେ ତ କହ ଘେନାଇ ହେ । ମଧୁପ ।

ବୋଇଲିରେ ବନ୍ଧୁ ତୋର ବାଣୀକି

ପ୍ରତି ଉତ୍ତର ପାରଇ ଆଣି କି

ଯେତେ ହେଲେ ଜଳ ପ୍ରବଳ କମଳ ବୁଡ଼ାଇ ପାରେ ପୁଣିକି ରେ । ସୁନ୍ଦରୀ ।୧୭।

 

ଦିନେ ଦିନେ ରତି ମାଗନ୍ତେ ସୁଦନ୍ତୀ କରକୁ କୋରକିତ କଲା

ନୀଳ ଚେଳେ ଅଧର ଘୋଡ଼ାଇଲା

ବୋଇଲି ହାସ ପ୍ରକାଶେ କହ ତେବେ ଶୁଣି ମୁଖ କମ୍ପାଇଲା ସେ । ସୁନ୍ଦରୀ ।

ସୁନାସିକା ରମଣୀକି ଚାହିଁଲି

ମୋ ପରି ଏ ସ୍ଥିର ନୋହୁ ବୋଇଲି

ଅଙ୍କୁଶ ମିଳିଲା ମାତ୍ରେ ହସ୍ତୀ ହେବ ପରା ବୋଇଲା ଛଇଳୀ ହେ । ମଧୁପ ।୧୮।

 

ଦିନେ ରାତ୍ରେ ଚିତ୍ର-ତପନ ଉଦୟ ହୃଦୟ ମୋ କରେ କମ୍ପନ

ହୋଏ ଅତନୁ ତମ ଉଦ୍ଦୀପନ

ଧନ ଲପନ ଶଶୀ ଅବା ଦେଖନ୍ତି ସପନ ହେଲା ସପନ ହେ । ମଧୁପ ।

ଇନ୍ଦ୍ର ଜାଲିକ ହିଁ ନାହିଁ ଏ ଦେଶେ

ପଟ୍ଟ-ଘଟକ ନାହିଁ ଆଶ ପାଶେ

ଆକ୍ଷି ହୃଦରେ ଯେ ରଖି ଦେଖୁଥିଲି ଲୋତକ ଧୂମେ ନ ଦିଶେ ହେ । ମଧୁପ ।୧୯।

 

ଉତ୍ପଳ-ନୟନା ସରୋଜ-ବଦନା ହେତୁ ଘେନି ସିନା ମନୋଜ

ବିନ୍ଧି ନ ପାରଇ ସନ୍ଧି ନାରାଜ

ଏବେ କୋଦଣ୍ଡ ମଣ୍ଡଳାକାର କଲା କରି ଯତନେ ତା ମାଜ ହେ । ମଧୁପ ।

ବାଜି ମରମ ନଭେଦିବ କେହି

କାଞ୍ଚନାଙ୍ଗୀ କଞ୍ଚୂକସେହ୍ନା ନାହିଁ

କୁଞ୍ଚିତ-କେଶୀ କି ମୁଁ ଞ୍ଚିତ ଆସିଛି ବଞ୍ଚିବା ଭରସା କାହିଁ ହେ । ମଧୁପ ।୨୦।

 

ଫୁଟି ଫୁଲ ଗୋଟି ଗୋଟି ଝଡ଼ୁଛି

ସେ ଲତା ଉପରୁ କୃଷ୍ଣଫଣୀ ଚାରୁ ତରୁ ଉପରେ ପଡ଼ୁଛି ହେ । ମଧୁପ ।

ଚିତ୍ରେ ଲେଖି ଭେଟି ତାକୁ ମାଗିଲି

ଏହା ଜାଣି ଦାନ ଦିଅ ନାଗିଲି

ପଟ୍ଟ ଓଲଟାଇ ଦିବ୍ୟ ଶୋଭା ଏହି ହସି ଭାସିଲା ଛଇଳୀ ହେ । ମଧୁପ । ୨୧ ।

 

ପୁରୁଷାୟିତ କର ବୋଲି ମାଗନ୍ତେ ବୋଲଇ ସେ କଉଁ ଆଶେ

ମୁଁ ସେ ଆସେ ବସାଇଲେ ନ ଆସେ

ମୁକୁର ବିତାନ ସଦନେ ଏ ଘେନି ଆଲୋକେ ପାଶେ ନ ପଶେ ହେ । ମଧୁପ ।

କି କରିବି ମୁଁ ବନ୍ଧ ପରିପାଟୀ

ଭେଟେ ଭେଟୁଁ ତ ଦମ୍ଭ ଦିଏ କାଟି

ନୟନ ମନ ମଜ୍ଜନ ହୋଏ ଯଉଁ ଅଙ୍ଗେ ଅଙ୍ଗେ ପଡ଼େ ଦୃଷ୍ଟି ହେ । ମଧୁପ ।୨୨।

 

ଲବଣୀ-ପିତୁଳା ଶିରୀଷ-କୋମଳା ତୁଳା ତୁଳାଅଙ୍ଗୀ ନାମରେ

ଯେବେ ଡ଼ାକଇ ମୁଁ କହେ ପ୍ରେମରେ

ମୁର୍ଚ୍ଛା ଯାଇଥିଲେ ନ ଛାଡ଼ି ଏ ଘେନି ଆଚ୍ଛା ଆଶ୍ଵାସ ଯେ ଧୀରେ ହେ । ମଧୁପ ।

କହୁଁ କହୁଁ ଖେଳୁଥାଇ କଟାକ୍ଷ

ବର୍ଣ୍ଣ ତିନି ପ୍ରକାଶୁ ଥାଇ ଅକ୍ଷ

ସେ କ୍ଷଣରେ ତିନି ଈକ୍ଷଣ ଧଇର୍ଯ୍ୟ ରକ୍ଷଣେ ନୋହିବ ସକ୍ଷ ହେ । ମଧୁପ ।୨୩।

 

ଫୁଟୁ ନାହିଁ ନେତ୍ର ଫାଟୁ ନାହିଁ ଗାତ୍ର କାଟୁ ନାହିଁ କଟୁ ବଚନ

ଫିଟୁ ନାହିଁ ପିଣ୍ଡରୁ ଏ ଜୀବନ

ଗୁଣି ଗୁଣମଣି ରମଣୀ ଲଭିବା ଲୋଭ ଯା ବହିଛି ମନ ହେ । ମଧୁପ ।

ଏହୁ ଛାନ୍ଦ ରସିକ ହୃଦ ହାରା

ଖଳ-କୁଳ-ଅଚଳ-ପବି-ପରା

ମାର-ମାରକ ଯା କୁମାର କୁମାର ବ୍ରଜନାଥ ସେ ତତ୍ପରା ହେ । ମଧୁପ ।୨୪।

 

୧| ଅଫରସା=ଅଭିମାନଯୁକ୍ତ; ଦୁଃଖିତ ।

 

୨| ସାଙ୍କୋରି=(ଦେଶଜ) ସଙ୍କୁଚିତ କରି ।

 

୩| ବଟିଯାଇ-(ଦେଶଜ) ଠକିକରି ଚାଲିଯାଏ ।

 

୪| ଦକ୍ଷିଣ ହେଲୁ=ଅନୁକୂଳ ହେଲୁ ।

 

୫| ଦକ୍ଷିଣ ଯିବି=ମରିବି (ମରିବା ବେଳେ ସଧବା ସ୍ତ୍ରୀମାନଙ୍କୁ ସିନ୍ଦୂର ଲଗାଇ ଦିଆଯାଏ)-

 

୬| କଞ୍ଚୂକ ସେହ୍ନା=ସାଞ୍ଜୁ ପିନ୍ଧା ଯୋଦ୍ଧା ।

 

୭| ନାଗିଲି=ଅଳି କଲି ।

 

୮| ଭେଟୁଁ (ଦେଶଜ)-ପ୍ରଥମରୁ ।

***

 

ଏକାଦଶ ଛାନ୍ଦ

ଦୃଷ୍ଟାନ୍ତର

ରାଗ–ଶଙ୍କରାଭରଣ

 

କୁସୁମ ସମୟ ଆସି ହେଲା ପରବେଶ

କଳିନ୍ଦ କରି କୁମୁଦ ପ୍ରାୟେ ହୋଇ କୃଶ

କାମେ କୁମର କାତର

କାନ୍ତାଠାକୁ ଲେଖ ଲେଖେ ବିନୟ ଉତ୍ତର ।୧।

 

ଖଗ-ରାଜ-ପତି ଶତ ପଦ-ପାଦ ଚିନ୍ତି

ଖୁଦର-ଉଦରୀକି ମୋ ସ-ପ୍ରେମ ମିନତି

ଖଣ୍ଡ-ଚନ୍ଦ୍ର-ଚୂଡ଼-ପର

ଖେଦ-ନଦେ ପଡ଼ିବାର କୃତ୍ୟ ନାହିଁ ମୋର ।୨।

 

ଗଣ୍ଠି ହରାଇଲା ରଙ୍କ ଚିନ୍ତା ଚିତ୍ତେ ବହି

ଗ-ର କରଗତ ମୃଗ ପ୍ରାୟେ ଅଛି ଜୀଇ

ଗୁଣ ଗୁଣି ଗୁଣି ତୋର

ଗଳାରୋଗୀ ଗୁଣୀଗତି ହୋଇଅଛି ମୋର ।୩।

 

 

ଘୋଟେ ଘନ-ସନ୍ତାପ ଶ୍ରାବଣ ଘନ ସମ

ଘଟ ମୀନ କରି ମୋତେ ରଖିଅଛି କାମ

ଘୋର ନିଦାଘେ ଚାତକ

ଘନେ ତନ ମନ ପରି ତୋର ଧ୍ୟାନ ଯାକ ।୪।

 

ନୀରନିଧି ପ୍ରାୟେ ତୋ ମୋ ଅକଳିତ ପ୍ରୀତି

ନାଗ-ନଦୀ ସଦୃଶ ତା, କଲି ରସବତୀ

ନିଶ୍ଚେ ନ ରହିବ ପ୍ରାଣ

ନୟନ ନିମେଷ ପରି ତୁ ମୋ ପରିତ୍ରାଣ ।୫।

 

ଚିତ୍ତରେ ପଡ଼ୁଛି ଦିନେ ରତି ଅନ୍ତେ ମୋର

ଚରଣ ଧରି ମାଗିଲୁ ନୋହିବ ଅନ୍ତର

ଚଣ୍ଡାଳ ମୁଁ କେଡ଼େ ଗୋରି

ଚିର କଲି ତା, ପ୍ରଭାତ-ରବି-ରଙ୍ଗ ପରି ।୬।

 

ଛଦ୍ମ ନୋହେ ପଦ୍ମମୁଖୀ ସଦ୍ମ ହୋଏ ନଗ

ଛାଗ ଆଗ ଲତାପରି ରଖିଛି ଅନଙ୍ଗ

ଛଇଳା ତୋ ଆଶା-ବାଡ଼

ଛିଣ୍ଡାଇ ଖାଇବାକୁ ସେ ହୋଇଛି ଉହାଡ଼ ।୭।

 

 

 

ଜୀବନ ତୋ ସାହା ପାଇ ମନ ମୋଦ ଥିଲା

ଜରତୀ-ସ୍ତନ ପରା ତା ଟାଣ ଏବେ ଗଲା

ଜଉ ଜୁଆ ଯଉଁ ପ୍ରୀତି

ଜଳିଲା ଜ୍ଵଳନ ତହିଁ ହେଲା ଏ ମୋ ରୀତି ।୮।

 

ଝସକେତୁ ସମରେ ଶ୍ରମରେ ଶାନ୍ତି ପାଇ

ଝିମି ଝିମି ଝାଳ ଝରି ଝରି ଆସୁଥାଇ

ଝଳି ଶ୍ରୀମୁଖ ସେ ତୋର

ଝାଡ଼ମୃଗ ପରି ନେତ୍ରୁଁ ନୋହିଲା ଅନ୍ତର ।୯।

 

ନିଧୁବନେ ବିପରୀତ ମାଗିଲେ ରେ ଧନ

ନାନା ଭାଷି ନାନା ଆସେ ଢାଳୁ ଯା ନୟନ

ନିତି ଚିନ୍ତି ସେହି ରୀତି

ନିଶି-ଶେଷ ଶଶିପରି ହେଲିନି ସୁଦନ୍ତୀ ।୧୦।

 

ଟାହି କରି ଯାହା କହୁଥାଉ ପ୍ରାଣସହି

ଟିକିକେ ସ୍ନେହ ତୁଟିବ ବିଜୁଳି ପରାଇ

ଟେକି ଅଛି ଦିନା କେତେ

ଟସକର ପ୍ରୀତି ଏବେ କଲି ସେହିମତେ ।୧୧।

 

ଠିକ ଭାବ ବଣିଜ ଯେ କଲି ଲାଭ ଲୋଭେ

ଠୁଳ ମୂଳଧନ ବୁଡ଼ି ଯାଉଛି ମୋ ଏବେ

ଠଣ ପ୍ରୀତି ତୋ ସାଗର

ଠାବ କେହି ହେବ ତାକୁ ଠେକି ହୃଦେ ମୋର ।୧୨।

 

ଡାଳ ପଲ୍ଲବ ପଲ୍ଲବେ ମୂଳ ଜଳେ ଯଥା

ଡୋଳା-ପିତୁଳା ତୋ ଶୁଭେ ମୋର ଶୁଭ ତଥା

ଡର ନାହିଁ ମୋ ହୁଃଖକୁ

ଡାକି ବିନ୍ଧୁଥିବ ତୋତେ ମାର ବିଶିଖକୁ ।୧୩।

 

ଢଳହଳ ଜଳନେତ୍ରୀ ମୋ ଯିବା ଅୟନେ

ଢାଳି ଗତି ଯୋଖି ରଖିଥିବୁ ଏକମନେ

ଢାଉଠାରୁ ହେଲା ହୀନ

ଢାଳେ ଯଉଁ ଅନୁରାଗ ହିଙ୍ଗୁଳ ସମାନ ।୧୪।

 

ଅଳି କେତକୀ କୁସୁମେ କେଳି କଲାପରି

ଅନୁରାଗରେ ତୋ ଅନୁରାଗ ଥିବ ଗୋରୀ

ଅଂଶୁକ ହିଁ ଅହି ହେବ

ଅହଚକ୍ର ଯୁଗପରି ଚିନ୍ତା ନ ଛାଡ଼ିବ ।୧୫।

 

 

 

ତାପରେ ଉରଜ ପରେ ଫୁଟିଥିବ ହାର

ତୋଳିବାକୁ ଆଳୀ ଭାଳି ହୋଇବେ କାତର

ତନୁ ତନୁ ତୋର ଚାହିଁ

ତୁଳିବେ ପ୍ରତିପ-ଚନ୍ଦ୍ର-କଳା ତୁଲେ ସହୀ ।୧୬।

 

ଥୋଇଛୁ ଯା’, ବିଦେହ ଦହନ-ହୃଦେ ମୋତେ

ସ୍ଥାଣୁ ମୋହୀ ଏଣୁ ମୁହଁ ଜଳୁଛି ସନ୍ତତେ

ଥାଇ ଶଶୀ କେତେ ଦୂରେ

ସ୍ଥିର କୁମୁଦ ଶୁଖଇ ତାର ଅଭାବରେ ।୧୭।

 

ଦମ୍ପତି-ପ୍ରୀତି-ସମ୍ପତ୍ତି ଭିନ୍ନ ନୋହିବାର

ଦୃଶ୍ୟ-ପଲ୍ଲବ-ଲୋକନେ ନିନ୍ଦଇ ନାଗର

ଦେବବର ପଦ ଇଚ୍ଛେ

ଦେହେ ଦେହ ଜଡ଼ାଇ ପୁଲକ ହେଲେ ବାଛେ ।୧୮।

 

ଧାତା ବାମ ହେଲେ ହିତ ହୁଅଇ ଅହିତ

ଧେନୁ-ଜାନୁ-ଖମ୍ଵ-ବଚ୍ଛା-ବନ୍ଧନ ନିମିତ୍ତ

ଧ୍ରୁବ ଏ କଥା ନିକର

ଧର ହେଲା ଧରଣୀ-ମଣ୍ଡନା ଏ ମୋ ଚିର ।୧୯।

 

ନିକଟେ ଯିବ ପ୍ରବାସ ଜୀବବନ୍ଧୁ ଯିବି

ନାନା ଆସେ ଚାଟୁଭାଷି ତୋ ରସେ ମଜ୍ଜିବି

ନେତ୍ର ପିତୁଳା ପରାଇ

ନିମିଷେ ଅନ୍ତର ନୋହି ସେବିଥିବି ରହି ।୨୦।

 

ପତ୍ରାଳି ରେଖି ଲେଖିବି ଗୋଳିଣ କସ୍ତୁରୀ

ପୟରେ ଅଳତା–ଲତା ଦେବି ସରୁ କରି

ପୋଛି ଶ୍ରୀମୁଖ ବାନ୍ଧବୀ

ପରିପାଟୀରେ ଚନ୍ଦନପାଟୀ କାଟିଦେବି ।୨୧।

 

ଫିଟାଇବି ଯେତେବେଳେ ମୋ ବନ୍ଧା କବରୀ

ଫୁଟିଯିବ ପରା ଆଖି ତାହା ଦେଖି କରି

ଫୁଲ୍ଲାରବିନ୍ଦ-ବଦନା

ଫାଟୁ ନାହିଁ ଦେହ ଦେଇ ତୋତେ ଏ ବେଦନା ।୨୨।

 

ବସାଇବି କି ଏଣିକି କୋଳ ବିନା ତଳେ

ବନ୍ଧ ବିନା ଶୁଆଇବି ନାହିଁ ଶେଯେ ତିଳେ

ବନ୍ଧୁ ଅପସର ହୋଇ

ବସିବାବେଳେ ବସିବି ତୋତେ ଆଉଜାଇ ।୨୩।

 

 

 

ଭାଙ୍ଗି ଲାଗିଲୁଗା ଲାଗି ଲାଗି ପିନ୍ଧାଇବି

ଭାବିନିଧି ଭିଡ଼ା ବାନ୍ଧି ବେଣୀ ବନ୍ଧାଇବି

ଭାଲେ ଦେବି ଚନ୍ଦ୍ର-ଝୁମ୍ପି

ଭାବେ ନାସା-ମୋତି ଦେବି ଭବ ଯିବେ କମ୍ପି ।୨୪।

 

ମନ୍ଦର ସ୍ତନ ଉପରେ ଲୋଟାଇବି ହାର

ମନ୍ଦାର-ଅଧର-ପାନେ କରିବି ସୁନ୍ଦର

ମନ୍ଦ ହାସୁଁ ତୋ ରମଣୀ

ମଧ୍ୟ ଭାଗରେ ମଣ୍ଡିବି କିଙ୍କିଣୀ ରମଣୀ ।୨୫।

 

ଯାବତବେଳେ ମୁଁ ରହି ଆଲଟ ସେବାରେ

ଯୁକ୍ତ ହେବି ମାଳୀ–ପଣେ ଫୁଲ ଗୁନ୍ଥିବାରେ

ଯାମେ ଯାମେ ଜଗି ଜଗି

ଯୋଗାଣ କରାଉଥିବି ନାଗବଲ୍ଲୀ ଭାଙ୍ଗି ।୨୬।

 

ରାମା ତୁ ମୋ ଗଳାମାଳା, ମୁଁ ତୋ ପାଦବଳା

ରତ୍ନମଣି ତୁ’ ମୋ, ତୋର ମୁଁ ଶେଯ ମୁଚୂଳା

ରୂପ ନେତ୍ରର ତୁ ମୋର

ରାଣ ଅଛି, ପରାଣ ତୁ, ମୁଁ ପିଣ୍ଡ ନିକର ।୨୭।

 

ଲକ୍ଷ ଦେବା ତୋତେ ମୋତେ, ଲକ୍ଷଣା ତ ନାହିଁ

ଲଳନା ତୋ ମୋହ ପରି , ମାତ୍ର ତୁହି ମୁହିଁ

ଲୀଳା ହେଳା ହାବ ଭାବ

ଲାବଣ୍ୟବତୀ ଏହି ତୋ ଅଳଙ୍କାର ସର୍ବ ।୨୮।

 

ବେଶ-ରସ-ପରିହାସେ ବାସର-ରଜନୀ

ବାଣ୍ଟୁଅଛି ମୁଁ ଯେ ଅଣ୍ଟୁନାହିଁ ଚନ୍ଦ୍ରାନନୀ

ବିହି ବିହିଲା କି ଜାଣି

ବେନି ବେନି କରି ନେତ୍ର ଓଷ୍ଠ କର୍ଣ୍ଣ ପୁଣି ।୨୯।

 

ଶୋଭା ଘେନିବାକୁ କି ବୋଲାଏ ଏ ନୟନ

ଶୃଙ୍ଗାର-ବାହକ କେତେ ହେବ ପାଞ୍ଚମନ

ଶିବ ଆସବ ବଚନ

ଶ୍ରୁତି ବେନି ନିକି ଘେନି ପାରେ ତା ରଚନ ।୩୦।

 

ଷଟ୍ପଦ ପ୍ରାୟେ ରସନା ମୁଖପଦ୍ମ ରସ

ଷଷ୍ଟି ଦଣ୍ଡ ପିଇଲେ ସେ ଲେଶ ନୋହେ ଶେଷ

ଷଣ୍ଢଧ୍ୱଜ କି ନାଗର

ଷଣ୍ମାତୁର ମାତା କଲେ ଅର୍ଦ୍ଧ କଳେବର ।୩୧।

 

 

 

ସରସିଜ-ନୟନା ମୋ ମନ ସ୍ଥିର ନାହିଁ

ସର୍ବାଂଶେ ତୋ ଛାମୁ ଯୋଗ୍ୟ ଗୀର ଅବା କାହିଁ

ସହଜେ ତ ଥିବି ହୁଡ଼ି

ସଂଗ୍ରହଣ ଗୁଣ କରି ଦୋଷ ଦେବୁ ଛାଡ଼ି ।୩୨।

 

ହୃଦୟରେ ଅନୁଗ୍ରହ ଉଦୟ କରାଇ

ହସ୍ତାକ୍ଷରେ ଉତ୍ତର ଲେଖିବୁ ପ୍ରାଣସହୀ

ହଂସ କହିବ ତ ସବୁ

ହାଥ-ସାରେଣୀ ଏଥର ହେବି ଜାଣିଥିବୁ ।୩୩।

 

କ୍ଷିତିପ-କୁମାର ତା ପାଳିତ ହଂସଠାରେ

କ୍ଷେମ ଲେଖ ଦେଲା ତାକୁ ଘେନିଲା ଚଞ୍ଚୁରେ

କ୍ଷଣଦାକୁ ଦେଲା ନେଇ

କ୍ଷଣେ ମଜ୍ଜିଲା ସେ ପଢ଼ି, ବ୍ରଜନାଥ କହି ।୩୪।

 

୧| ଟସକର=ତସ୍କର ।

 

୨| ଅହଚକ୍ର=ଦିନସବୁ ।

***

 

ଦ୍ଵାଦଶ ଛାନ୍ଦ

ତ୍ରିଭଙ୍ଗ

ରାଗ-କାଳୀ

 

କାନ୍ତ ପତର ସ୍ନେହ ଉତ୍ତର ପଢ଼ି ସେ ତରଳାକ୍ଷୀ

କାମ ଆଛନ୍ନ ବଳେ ଉଛନ୍ନ ମୃଗ ଲାଞ୍ଛନ୍ନ ମୁଖୀ

ଦିବ୍ୟ ନୂତନ ପତ୍ର ଯତନ ରାମା ରତନ ବହି

ଧରିଣ ଲେଖ-ନକୁ ସୁଲେଖ ଲେଖାଇ ଲେଖ-ମୋହୀ । (୧)

 

ହରି-ଗାମନୀ ହର-କାମିନୀ ମୁଖ ଯାମିନୀ ପତି

ଚିନ୍ତି ହୃଦରେ କାନ୍ତ ପାଦରେ ରଖି ଆଦରେ ମତି

ଆହେ ଧୀବର ବିବେକ-ବର ପାର୍ବତୀ-ବର-ବରେ

ତୁମ୍ଭ ଚରଣ କଲି ଶରଣ ଏ ରଣରଣ ଡରେ । (୨)

 

ମୁଁ ଅପରାଧୀ ତୁମେ ବୀରାଧି-ବୀର ଆରାଧି କରି

ନ ରଖି ପାଶେ ଦେଲେ କିମ୍ପା ସେ କନ୍ଦର୍ପ-ପାଶେ-ଧରି

ହେଳାବସେ ବା ମୁ୍ଁ କଉଁ ସେବା ନ କଲି ସେ ବାଦରେ

ଦୟା-ବିଗ୍ରହ ଏଡ଼େ ନିଗ୍ରହ କର ଆଗ୍ରହ ଭରେ । (୩)

 

 

 

ହୃଦେ ଶୁଅଇ ଦୁଃଖ ଦିଅଇ ନିଶି ନିଅଇ ସୁଖେ

ସେହି ଦୋଷରେ ଦେଲ ରୋଷରେ କି କାମ-ଶର ଲାଖେ

ମୁନ କରଜେ ଭୂଷି ମୋର ଯେ ଠେସି ଉରଜେ ଦେଇ

ଛାଡ଼ି ଉଆସ ପରାନୁଆସ ସେହି ପ୍ରୟାସ ପାଇ । (୪)

 

ମନେ କି ମଣି ଡାକ ରମଣୀ ମୋ ପ୍ରାଣମଣି ଆରେ

ନୋହେ ଟାପରା ତୁମ୍ଭେ ସେ ପରା ବୋଲ ଯା’ ପରାଣରେ

ସ୍ତୋକ-ନୀରଦ ପରି ସୁରଦ ତୁମ୍ଭେ ମୋର ଦଇବେ

ଏକି ସ୍ଵଭାବ ଛାଡ଼ି ସେ ଭାବ କଲ ଅଭାବ ଏବେ (୫)

 

କି ତପସ୍ୟାରେ ମନୁଷ୍ୟ-ସାରେ ଜନ୍ମି ସଂସାରେ ମୁହିଁ

ଯେତେ ଦୁର୍ଲଭ ସେ ମୋ ସୁଲଭ ହେଲ ବହ୍ଲଭ-ଦ୍ରୋହୀ

ମୋ ଜାଣିବାରେ ଦୋଷ ତ ବାରେ ନାହିଁ ସେବାରେ କରି

କରି ପୀଡ଼ିତ ଗଲ ଛାଡ଼ି ତ ଘନ ତଡ଼ିତ ପରି । (୬)

 

ଶଶୀ-କୁମୁଦେ ଉପମା ମୁଁ ଦେ-ବାକୁ ତ ମୁଦେ ନୋହେ

ପଦ୍ମ-କାସାର ଚନ୍ଦ୍ର-ନିଶାର ପ୍ରୀତି କେ ସାର କହେ

ଏ ଦୃଷ୍ଚାନ୍ତର ଦେଇ ମାତର ଅତି ଅନ୍ତର ଭାବ

ତୁମ୍ଭ ମୋହର ପ୍ରୀତି ସ୍ନେହର ସାକ୍ଷୀ ସେ ହରଦେବ । (୭)

 

କଉଁ ଛଇଳା ଅବା ମୋହିଲା ମନ ହୋଇଲା ବାଇ

ପୁରୁଷାୟିତ ତାକୁ ତ ଇତ-ର ସେ ଦୟିତ ମୋହୀ

ନିଶି ଦିବସେ ତା ଭାବ ବଶେ ଅତି ଅବଶେ ମାତି

ରସେ ଥିବ ତ ଭ୍ରମର ବତ ଲଭି ଯାବତ ଗତି । (୮)

 

ମୀନ-କେତନ-ପର ପତନ ଭୂରୁ-ନର୍ତ୍ତନ ତାର

ଚାହିଁ ମୂରତି ପାଇ ତା ରତି ତୁମ୍ଭେ ବରତି ପାର

ରତି ସମାନ ଶୋଭା ମୁଁ ମାନ ସେ ତା ଗୁମାନ ବହି

ଜାଣଇ ହସି ଭାସି ସେ ହଂସୀ-ଗତି ସ୍ନେହ ଶିଖାଇ । (୯)

 

ହୋଉ ପଛେ ଦ-ଣ୍ଡ ଶିରଶ୍ଥେଦ ନୋହୁ ବିଚ୍ଛେଦ ଘୋର

ନାରୀ ହେବାର ଧିକ ସେବାର ଯେ ପରିବାର-ବର

ସରୁଛି ପଦ-ଦାସୀର ପଦ ପାଇ ବିପଦ ଘୋର

ଘେନ ଉଚିତେ ଏଥର ଚିତ୍ତେ କୃପା କିଞ୍ଚିତେ କର । (୧୦)

 

ବାସ ଉଞ୍ଛାଇ ଭାଙ୍ଗି ତା ଛାଇ ସାଙ୍ଗେ ମଛାଇ ଜଗି

ହେ ସୁଖ-ଦାନୀ ମୁଁ ପିକଦାନୀ ଥିବି ସଦା ନିଯୋଗି

ଏ ବଡ଼ପଣ ଛାଡ଼ି ଦର୍ପଣ କରି ଅର୍ପଣ କରେ

ଘନ-ତମାଳ-କେଶକୁ ମାଳ ଗୁନ୍ଥିବି ମାଳ ତୀରେ । (୧୧)

 

 

 

ଅତି ନିର୍ଜ୍ଜନେ ସ୍ଵଦାସୀ ଜନେ ଘେନି ବ୍ୟଜନ ବିଞ୍ଚି

ମନ ମଜ୍ଜାଇ ଶେଯ ଶେଯାଇ ପାଖୁ଼ଡ଼ା ଜାଈ ସିଞ୍ଚି

ଗୋଳି ଚନ୍ଦନ ବୋଳି କୁନ୍ଦନ-ଶୋଭା-ବନ୍ଦନ-ଅଙ୍ଗେ

ସେବା ଅରହି ଥିବି ମୁଁ ରହି ପାଣି ସୋରହି ଯୋଗେ । (୧୨)

 

କିଛି ମ ନାହିଁ କାହିଁକି ନାହିଁ କରିବି ନାହିଁ ଭଜି

କର ହେ ଆଗ-ମନ ମୋ ଆଗ କରିବା ଆଗ ତେଜି

ପ୍ରୀତ ସମ୍ମତେ ଅବା କି ମତେ ଚିତ୍ତେ ଯେମନ୍ତେ ଥିବି

ନିଶି ବାସରେ ଦାସୀ ଆଶରେ ଅଛି ପାଶରେ ସେବି । (୧୩)

 

ରହିଛି ଜୀବ ତୁମ୍ଭ ରାଜିବ ପାଦ ପୂଜିବା ଲୋଭେ

ଅଛି ଈକ୍ଷଣ ପୁଣି ସେକ୍ଷଣ ଶୋଭା ବିକ୍ଷଣ ଲୋଭେ

ଲେଖି ସାରସେ-କ୍ଷଣି ସାରସେ ଲେଖ ସାର ସେ ଦେଲା

କରି ଜୀବେ ସ-ଞ୍ଚାର ଜୀବେଶ ପାଶେ ପ୍ରବେଶ ହେଲା । (୧୪)

 

ପଢ଼ି ରାମାର ଛାଗ କୁମାର ସନ୍ଦେଶ ମାର କାଣ୍ଡେ

ହୋଇ କାତର ପୁଣି ପତର ବର୍ଣ୍ଣେ ନେତର ମଣ୍ଡେ

ବର୍ଣ୍ଣ ବିରଳ ପଦ ସରଳ ପଢ଼ି ତରଳ-କାୟେ

ପୂର୍ବ ପାତକ କଲା ଏତକ ବୋଲି ଲୋତକ ବହେ । (୧୫)

 

ମନେ ଭାବଇ ମଦନ ବଇ-ରୀର ଏ ବଇକୁଲ୍ୟ

ଆଜି ଭୀଜିବ କରିବି ଜୀବଧନକୁ ଜୀବତୁଲ୍ୟ

ତେଜି ପ୍ରବାସ ଯିବି ସୁବାସ-ଅଙ୍ଗିନୀ-ବାସକୁ ସେ

ଚକ୍ର-ହାଥର ବଳ ଏଥର ବ୍ରଜନାଥର ଭାଷେ । (୧୬)

 

୧। ମୁଛାଇ=(ଦେଶଜ) ତୁଳନୀୟ ହୋଇ ।

***

 

ତ୍ରୟୋଦଶ ଛାନ୍ଦ

ପୁର ପ୍ରବେଶ

ରାଗ-କୌଶିଳ

 

ପରମେଶ୍ୱର ପରସନେ କୁମାର ପରବାସ ଦୂର ହୋଇଲା

ପୁରକୁ ଯାଇ କର୍ପୂର-ହାସୀ ଭେଟ ହେବାକୁ ଭରସା ପାଇଲା

କାମ ଡଗରା ନାଗରା ହେବାକୁ ଖବର

ଚତୁର୍ବିଧ ସୈନ୍ୟ ଚାଲନ୍ତି ସଜରେ ସଜରେ ହୋଇ ତତପର I୧I

 

ଅସ୍ଥୟ ହୟ ଚୟଙ୍କ ଚଳନରେ କଳି ତ ନୋହିଲା ସରଣୀ

ତୁରଙ୍ଗ-ମାତଙ୍ଗ-ଗର୍ଜ୍ଜନେ-ଗମନେ ଡରେ ଲସିଗଲା ଧରଣୀ

ଚାରୁ ସ୍ୟନ୍ଦନ ତୋରା ଦଶ ଦିଶ ମଣ୍ଡିଲା

ପଦାନ୍ତି କୁଳ ଅକଳିତ ସୁଷମା ନୟନ ପଲକ ଖଣ୍ଡିଲା I୨I

 

ନୃପତି-କୁମାର ଦିବ୍ୟ କରିବର ଅମାରୀ ଉପରେ ବିଜୟେ

ନବୀନ ମାର ତ୍ରିପୁର-ବିଜୟକୁ ମକର ଚଢ଼ି ଚଳେ କିଏ

ଛତ୍ର ଚାମର ତ୍ରାସ ପତକାଦି ବିଧାନ

ବ୍ରାହ୍ମଣ-ଗୁଣୀ-ଜ୍ୟୋତିଷ ଭାଟ-ନଟ-ନର୍ତ୍ତକୀ-ମଙ୍ଗଳ ପ୍ରଧାନ I୩I

 

 

 

ନାନାଦି-ବାଦ୍ୟ-ବାଦନ-ନାଦେ ସ୍ତବ୍ଧ ପରାୟେ ହେଲେ କର୍ଣ୍ଣମାନେ

ରେଣୁ ପଡ଼ି ଆକାଶରେ ପୂର୍ଣ୍ଣହେଲା ନିଶି ଭାବନା ହେଲା ଦିନେ

କେତେ କହିବା ଏ ପ୍ରବଳ ସୈନ୍ୟ ଉତ୍ସବ

କହି ବସିଲେ ବହୁତ ହେବ ରହିଯିବ ଏ ସ୍ୱଭାବର ଭାବ I୪I

 

ରସିକ-ସୁମତି ରସିକା-ସୁରତି ଭାବନାରେ ଅତି ଉଚ୍ଛନ୍ନ

ତୃଷାର୍ତ୍ତ-ଚାତକ ଘନାଗମ-ବିଧି ଦେଖିଲେ ଯଥା ହୋଏ ମନ

ବଢ଼ି ଆନନ୍ଦ ସ୍ଥାନ ନ ପାଇ ହୃଦଗତେ

ମହାଦରିଦ୍ର ଦାରିଦ୍ର୍ୟ-ଖଣ୍ଡନକୁ ରୁଦ୍ରବର ହେଲେ ଯେମନ୍ତେ I୫I

 

ବାଳାଧ୍ୱନି ଭାବି ବଳାତ୍କାରେ ଦ୍ରବି ତନୁ ମଣ୍ଡି ହୋଏ ପୁଲକ

ଆନ ବିଷୟମାନ ବିଷ ମଣଇଁ ବାଳା-ଆନନେ ଧ୍ୟାନ ଯାକ

କ୍ଷଣ କ୍ଷଣକେ କେତେ ପଥ ଅଛି ପଚାରେ

କ୍ଷଣଦା ନୋହୁଁ ପ୍ରବେଶ ହେବା କିଏ ସଖାଗଣେ ଏହା ଉଚ୍ଚାରେ I୬I

 

ନୃପତି ଛାମୁରେ ଚାର ଜଣାଇଲା ବିଜେ କଲେ ଯୁବ-ରାଜନ

ଅନ୍ତଃପୁରେ ଏ ଖବର ତତପର ହେଲା ଜାଣିଲେ ସର୍ବଜନ

ଆଳି ଅଳିଏ ବାଳାମଣି-ପାଶେ କହନ୍ତି

ଆଜ ମତ୍ତ ଇଭ-ଗତି ତୋ ଭଗତି ଜାଣିଲେ ହର-ଭଗବତୀ I୭I

 

ଜୀବେଶ ପ୍ରବାସୁଁ ଆସିବା ଖବର ଘେନି ଚାର ଆସି ମିଳିଛି

ବାହାରେ ରାଜା ଅବକାଶ ଲୋକର ଆନନ୍ଦ ସିନ୍ଧୁ ଉଛୁଳୁଛି

କୃପା-ଅପାଙ୍ଗୀ ଶ୍ରୀଅଙ୍ଗ ସାଜ ସୁବେଶରେ

ଚକୋର ଚିନ୍ତା ପୁଣି ଆଉ ଥାଏ କି ଶରଦ-ଋତୁ ପ୍ରବେଶରେ I୮I

 

ଚତୁର-ଚତୁରୀ ଚାରି ଚକ୍ଷୁ ହେଲେ ରହିବ ନାହିଁ ପରା ମାନ

ପୂର୍ଣ୍ଣ ଚନ୍ଦ୍ରୋଦୟେ ଚନ୍ଦ୍ରକାନ୍ତ ମଣି ଦେହେ ରହେ କି ତା କାଠିଣ୍ୟ

ନିଶି-ଯାକତ ପଦ୍ମ ହୋଇଥାଏ ମୁଦ୍ରିତ

ତରୁଣ ଅରୁଣ କିରଣରେ କେହି ପ୍ରଫୁଲ୍ଲ ହୋଇଯାଏ ମିତ I୯I

 

ଥାଉ ଆନକଥା କହୁଁ କହୁଁ କେଡ଼େ ପ୍ରସନ୍ନ ଦିଶି ଆସେ ମୁଖ

ଅଧରେ ଦରହାସ ବାସ କଲାଣି ଦର୍ପଣେ ଦେଖି ଦେଖ ଦେଖ

ବଳେ ତୁ ଯେତେ ଲୁଚାଇଲେ ସେ କି ରହୁଛି

ଗଣ୍ଡ ମଣ୍ଡଳେ ରୁଣ୍ଡ ହୋଇ ପୁଲକ-ମଣ୍ଡନ ତ ସବୁ କହୁଛି ।୧୦।

 

ମଣ୍ଡ କେଳି ବାସ ବୋଲି ତ ଆମ୍ଭକୁ କହୁଅଛି ଲୋଳ ଲୋଚନ

ଏହା ଜାଣି ନ କରିବୁଁ କି ଚନ୍ଦନ-ଗୋଳା ଫୁଲମାଳା-ରଚନ

ଏବେ ପହୁଡ଼ କରିଥା କରି ରାଜଗତି

ମନୋଜ ଯୋଗ-ସାଧନ ଉଜାଗରୁ ପଲକ ପଡ଼ିବ କି ରାତି ।୧୧।

 

 

 

ପ୍ରଭୁମାନଙ୍କ ରୀତି ତ ଜାଣି ନୋହେ ଦୋଷ ହୁଏ ଦାସ-ଦାସୀର

ବେଣୀ-କିଙ୍କିଣୀ ସଜ ହେବା ନ ହେବା ମନ କେ ଜାଣିବ ତୋହର

ଆଜ ଅଳତା ଚିତ୍ର ତୋ ଚରଣେ ନ ଦେଖି,

କାନ୍ତ ତୋତେ କିଛି ନ ବୋଲି ବୋଲିବେ ଅତି ମନ୍ଦ ଏ ପ୍ରିୟସଖୀ |୧୨|

 

ସ୍ମିତ ପୁଲକ ବିକାରେ ମୋଟାୟିତ ପ୍ରକଟ, ହୃଦ ଜରଜର

ତରଙ୍ଗ ଅପାଙ୍ଗୀ ସଖୀଙ୍କ ଭଙ୍ଗୀରେ ଗୀର ନ କହି ଲାଜଭର

ମାର-ରାଜାର ଅଧିକାର ଆଜି ଯାଉଛି

ଏହା ବିଚାରି ଚାରୁ ନେତ୍ରୀ ଗାତ୍ରରେ ଫୁଲ-ଶର ଛାଇ ଦେଉଛି ।୧୩।

 

କହୁଁ କହୁଁ ଏହା ତୂରୀ-ଭେରୀ-ବୀରକାହାଳୀ ଶବଦ ଶୁଭିଲା

ତଦନ୍ତେ ନଗର ପରବେଶ, ନାରୀ ହୁଳ-ହୁଳିହିଁ ପ୍ରଭାବିଲା

ଆସି ରାଜାଙ୍କ ଛାମୁରେ ପ୍ରବେଶ କୁମାର

ନିଉଛାଳି ରଖି ଦରଶନ କରି ତଦନ୍ତେ ବିଜେ ଅନ୍ତଃପୁର ।୧୪।

 

ନବର ଭିତର ଦୁଆର ପ୍ରବେଶେ ଆଳି-ଆଳି ଆସି ମିଳିଲେ

ହୁଳହୁଳି ଦେଇ ଅନ୍ନ ନିଉଁଛାଇ ଦୀପାବଳୀରେ ବନ୍ଦାଇଲେ

ପୁଣି ମଣିମା ଡାକରେ ନିଅନ୍ତି ମଣାଇ

ରସିକ-ମନ ରସିକା-ଦରଶନ ଭାବି ଯା’ ହୋଏ କେ ଭଣଇ ।୧୫।

 

କର୍ଣ୍ଣ ନୟନ ନାସିକା ରସନାର ବାଦ ଲାଗିଲା ପରସ୍ପର

ଚର୍ମ ଆଦି ଯେଝା କର୍ମ୍ମ କଉତୁକେ ଶର୍ମ୍ମେ ହୁଅନ୍ତି ତତପର

ବିଚାରେ ନେତ୍ର ପୁଣି ଏଥି ବଡ଼ ସୁକୃତି

ପରମାନନ୍ଦ-ରସ ଆଗ ପାଇଣ ହେବ ଇନ୍ଦ୍ରିୟେ ଅଧିପତି ।୧୬।

 

ଦେହଳୀ ପ୍ରବେଶେ ପତି, ରସବତୀ ପଲଙ୍କରୁ ଧୀରେ ଉଠିଲା

ଦେଇ ଥିଲା ଯାହା ମଦନ ଶାଙ୍କୋଳୀ ବାଳୀ ପୟରରୁ ଫିଟିଲା

ଦୋଷ ବିଚାରି ତଣ୍ଡ ପରିଛନ୍ନ ହୋଇଛି

ଚୁମ୍ବ ଆଲିଙ୍ଗନ ଧନ ଦେବାଯାଏ ବିରହ ଚଉକୀ ଥୋଇଛି ।୧୭।

 

ସଖୀ କର ପରେ କର ଭର ଦେଇ ଉଭା ହୋଇ ଅଛି ଶୁଭାଙ୍ଗୀ

ଅତି କୃଶ ହେଲେ କାନ୍ତା-କାନ୍ତ-କାନ୍ତି କାନ୍ତ ଗରବ ଦେଲା ଭାଙ୍ଗି

ଚାହିଁ ରସିକ ଦଣ୍ଡେ ଅପଲକେ ରହିଲା

ଶୋକ ଆନନ୍ଦ ଦୁହିଁଙ୍କ ଅନୁରାଗ ଛାଡ଼ିବା ସମର୍ଥ ନୋହିଲା ।୧୮।

 

ବିଚାରିଲା ଏତ ଅତି ବିପରୀତ ସୁବର୍ଣ୍ଣ ରଜତ ହୋଇଛି

ସୁରଙ୍ଗ ପ୍ରବାଳ ନିଜ କାନ୍ତି ଛାଡ଼ି ନୀଳ କାନ୍ତିକି ତ ବହିଛି

ଲୋଳ-ଖଞ୍ଜନ ସ୍ଵରୂପ ଅନ୍ତରେ ସ୍ଥକିତ

ସ୍ଵଭାବ ଅକଳଙ୍କ ପୂର୍ଣ୍ଣ ଶଶାଙ୍କ କଳଙ୍କେ ହୋଇଛି ବିଦିତ ।୧୯।

 

 

 

ବିଧାତା କି କଲା କି ଦଶା ମୋ ହେଲା କି ଦେଖାଗଲା ଏ ନୟନେ ।

କୃଶ-ଉଦରୀ-ଆଜନ୍ମ-ସୁକୁମାରୀ-ଜୀବ ରହିଅଛି କେସନେ

ଦିବା-ଚନ୍ଦ୍ରମା ଏକ-କଳା ପ୍ରାୟେ ଦିଶୁଛି

ସଖୀମାନଙ୍କ ଯତନରୁ ଜୀବନ ରହିଛି ମନକୁ ଆସୁଛି ।୨୦।

 

କଉଁ ଆଳି ଚାହିଁ ବୋଲେ ଏବେ ହୋଇଲା କି ମନ ମହା ତୃପତି

ଅବଳା ବାଳା ବଧରୁ କଉଁ ଯଶ ଲଭନ୍ତ କରିଥିଲ ମତି

ଏତେ ବେଳରେ କରୁଅଛ କିପାଁ ଶୋଚନା

ଶଠ-କପଟୀ ଯେ ଧରା ନ ପଡ଼ିନ୍ତି ଧୂର୍ତ୍ତ ପଣ କରି ରଚନା I୨୧I

 

ଆମ୍ଭ ଜାଣିବାରେ କିଛି ଦୋଷ ଏତ କରି ନ ଥିଲା ସୁକୁମାରୀ

କ୍ରୀଡ଼ା-କାଳେ ବ୍ରୀଡ଼ାବଶ ହୋଇ କଉଁ କଥା ନ ଥିବ ଅବା କରି

ଏହା ଏ ଦୋଷ-ଧରିବାର ହେଲା ଉଚିତ

ଏବଂ-ପ୍ରୀତି ବାଳା ମନ ଜାଣି ଲୀଳୀ କରଇ ପରା ବିରଚିତ୪ I୨୨I

 

ନିତି ପତ୍ରାଳି ତା କୁଚେ ଲେଖୁଥିବ କେତେ ଗୋଳୁଥିବ କସ୍ତୁରୀ

ପାଦେ ଅଳତା ଲେଖାଇ କେତେ କମ ଶିଖାଇବନି ସେ ଚତୁରୀ

କେତେ ରଙ୍ଗରେ ବାସ ଜାଣିବନି ପିନ୍ଧାଇ

ନ ଜାଣିବା ରୀତି କହି ଦେଉଥୁବି ନିତି ବେଣୀ ଜୁଡ଼ା ବନ୍ଧାଇ I୨୩I

 

କିଞ୍ଚିତ-କୁତୁକ ରଚିତ ହେବାକୁ ଏ ଚିତ୍ତ ସ୍ୱଚ୍ଛେ ନ ବଳାଇ

କିଙ୍କିଣୀ-କିଣି-କିଣିରେ କେଳି-ପୁର ସେ ତ ଦେଉଥିବ କମ୍ପାଇ

କେଳି-କୁଶଳା କାମ ଶାସ୍ତ୍ରରେ ସେ ନିପୁଣା

କାଉଁରୀ-ପଦର ଯଉଁ ରୀତି ତାର ଚାହଁନ୍ତେ ଚିତ୍ତ କରେ ବଣା I୨୪I

 

ଏ କାଳେ ବାଳା-ସଲୋତକ-ଡୋଳାପ୍ରାନ୍ତେ ଅଲକ୍ଷିତେ ଚାହିଁଲା

ମୁଖ ଅପ୍ରସନ୍ନ ସଜନ-ନୟନ ତାର ସର୍ବ ଶୁଭ କହିଲା

ଜାଣି ସୁଜାଣ ସଜନୀଏ ହେଲେ ଅନ୍ତର

ଅମୃତ ଯୋଗ ଶୁଭବେଳେ ଏକାନ୍ତ ଭେଟ ହେଲା କାନ୍ତା-କାନ୍ତର I୨୫I

 

ସେ କାଳ-ଉଚ୍ଛାହା କହିବାକୁ କାହା ବଦନେ ବଚନ ଆସିବ

ରତି ବିନା ଆଉ ଗତି କିଛି ଅଛି ରତିଏ କିପାଁ ଆଭାଷିବ

ରାତି ଗୋଟିକ କୋଟିଏ ଯୁଗ ହୋ’ନ୍ତା ଯେବେ

ମାତି ସେ ଦମ୍ପତି ସୁରତି-ସମ୍ପତ୍ତି ଭୋଗ କରନ୍ତେ ଅବା ତେବେ I୨୬I

 

ସବୁ ଅଭିମାନ-ମାନ ଘେନି ମାନ ଆରମ୍ଭ କରୁଛି ମୃଗାକ୍ଷୀ

ସ୍ରୋତ ନୀରେ ତ ସିକତା- ବନ୍ଧବତ କାମ ତ ଦେଉ ନାହିଁ ରଖି

ମନ ଉଚ୍ଛୁକେ ରସିକ କଲା ଆଲିଙ୍ଗନ

ପୂର୍ଣ୍ଣ-ଚନ୍ଦ୍ର ମୁଖେ ଚୁମ୍ୱନ ମଣ୍ତନେ ନୁଆଁଇ କରେ କମ୍ପମାନ ।୨୭।

 

 

 

କାନ୍ତ ପାଦେ ଶିର ଲଗାଇ ସେ ବାଳା ଔଦାର୍ଯ୍ୟ ରୀତି ପ୍ରକାଶିଲା

ଅଙ୍କ ହୀନ ଶଶୀ-ପଙ୍କଜ-ମୁଖୀକି ଅଙ୍କ ପରେ ଘେନି ବସିଲା

ରଙ୍କ ରତନ ଟଙ୍କଧର-ବରେ କୁମାର

କି କରମ କଲି କିଙ୍କର ଏ ବୋଲି ଏଥର ଦୋଷ କ୍ଷମା କର ।୨୮।

 

ପେକ୍ଷିଲେ ରାୟେ ତ ମୋର ଲିତାଏ ତ ଆୟେତ ନ ଥିଲା ବିଶୋରୀ

ଜାଣୁ ଜାଣୁ ଜାଣୁମଲି ତୋତେ ଛାଡ଼ିବାରେ ହୁଅନ୍ତି ଏତେ ସରି

ବିହି ବିହିତ କେହି ତ ନ କରଇ ଆନ

କୁନ୍ଦନ-ନିନ୍ଦନ-ଅଙ୍ଗୀ ତୋର ଏବେ ଏ ବେଶ ଦେଖିଲା ନୟନ ।୨୯।

 

କହୁଁ କହୁଁ ଏହା ଦୁହିଙ୍କ ଉଚ୍ଛାହା ଅନୁରାଗ-ଅଶ୍ରୁ ଗଳଇ

ଶୋକ ସେନେହ ସମାନ ବେନି ଅଙ୍ଗେ କେହି କାହାକୁ ନ ବଳଇ

ମାନ ଏ କାଳେ ଗଳି ପଶୁଥିଲା ବଳାଇ

କନ୍ଦର୍ପ ନୃପ ସମସ୍ତଙ୍କୁ ଘଉଡ଼ି ଅନୁରାଗକୁ ମାତ୍ର ଥୋଇ ।୩୦।

 

ବିରହୀ-ବିମନ ଅଭିମାନ-ଘନ ବରଷା ଯୋଗେ ମ୍ଳାନ ଥିଲା

ବେନି ଅଙ୍ଗ ସଙ୍ଗ ଶାରଦ ତା ନାଶି ମନ ନଦୀ କି ସ୍ୱଚ୍ଛ କଲା

ମାର ସାୟକ ପ୍ରବାହ ବଳହିଁ ତୁଟିଲା

ବ୍ରଜନାଥ ବଡ଼ଜେନା ଭାଷେ ରସ ସାରସ ସରସେ ଫୁଟିଲା ।୩୧।

***

 

ଚତୁର୍ଦ୍ଦଶ ଛାନ୍ଦ

ଆଦ୍ୟପ୍ରାନ୍ତ ଲୋମ-ବିଲୋମ

(ରାଗ-ବଙ୍ଗଳାଶ୍ରୀ)

 

ରବ ବିକଳେ ଭାଷ ନା ମୋତି-ରଦନୀ ତୁ ମୁହିଁ ତ କିଙ୍କର ।

ରଜନୀ-କର ହାସ-ଭା ବିକଶୁ ରେ ହବ ଶିବ ଧୀରା ସାର ।୧।

 

ଶୁଭାନନା କିପାଁ ରୁଷୁ ତୁ ଭଲା ମୋ ବିଷେ ସାରବାସୀ ବସି ।

ସୁବନ୍ଦନ ଆସ୍ୟ ଶିରି ହର ନତ ରଚ ମାରଝାମହଂସୀ ।୨।

 

ବହି ରମାଳୀ ମାଳା ଗଭା ଆନନ୍ଦକୁ ତୁ ଖରରେ ତୋଷଦା ।

ବଲ୍ଲଭୀ ନାସୀର ସନାହର ଖେଦୁଁ ତର ଧରକ ପ୍ରମଦା ।୩।

 

ତରୀ ତୁରେ ମାର ନଦୀର ମୋରେ ସାର ତ ରତି ରମା ସୁଖ ।

ତମ ହର ତୋଷ ତୋର ତ ଏ ଦାସ ସାରସବାସୀ ଆ ରଖ ।୪।

 

ରେବତୀଶ ହାସେ ନିୟତେ ମୋତେ ରସା ନିଅ ଯାମ ସେ ରସୁଁ ।

ରେ ସର-ହର-ପରଭା ! ଦରପକ-ନାଶର ଭାଲ ବରଷୁ ।୫।

 

 

 

ଏ ଥର କଷୁ ଆରାଧୀ ରସାତୁରେ ତ ବନ୍ଧୁ ଶିବ-ଭା-ବତ ।

ଏ କିସ ଭାବି ରକତ ଚିର ମାର ସହାୟେ ରସାତୁର ତ ।୬।

 

ତୁ ସାର ହସ ନ ମାର ଶୁକ-ନାସା ରସିକେ-ତ ମୁଁ ଜୀବନ ।

ତୁ ହେମ-କାନ୍ତି ଚିତ୍ତୁ ଘେନା ବିନତି ମାନ ତ ରସୁ ରତନ ।୭।

 

ନ ତରସୁ ରତ ନ ମାନି ନବୀନା ଘେତୁ ଚିନ୍ତି କାମହେତୁ ।

ନର-ଜୀମୂତ କେଶୀ ରସା ନାକ-ସୁର-ମାନସ-ହରଷା ତୁ ।୮।

 

ତର ତୁଷାର ଏ ହାସ ରମା ରଚିତ କର ବିଭାଷ କିଏ ।

ତବ ଭାବ ସିନ୍ଧୁ ବତରେ ତୁ ସାର ଧୀର ଆଶୁ କର ଥୟେ ।୯।

 

ଶୁର-ବଲ୍ଲଭା ରସନା କପରଦ ଭାରପର ହରଷରେ ।

ସୁରସେ ମଜ୍ଜାଅ ନିଶାରତେ ମୋତେ ଅନିଶେ ହା-ସତୀବରେ ।୧୦।

 

ଖର ଆସି ବାସ ରସା ସଦା ୟେତ ରତୋଷ ତୋର ହଁ ମତ

ଖସୁ ମାର ତୀର ତରସାରେ ମୋର ଦୀନର ମାରେ ତୁ ରିତା ।୧୧।

 

ଦାମ ପ୍ରକର ଧରତ ଦୁଃଖେ ରହନା ସରସୀ-ନାଭୀ ଲବ ।

ଦାସ ତୋରେ ରଖ ତୁ କୁନ୍ଦନ-ଆଭା ଗଳାମାଳୀ ମାଁ’ ରହିବ ।୧୨।

 

ସିଂହ ମଝା ରମାଚରତ ନରହରି ଶିଷ୍ୟ ଆନନ୍ଦ ବଶୁଁ ।

ଶିବଶିବା ରସା ସେବି ମୋ ଲାଭ ତୁ ସୁରୂପା କିନା ନ ଭାଷୁ ।୧୩।

 

ରସାରାଧି ବସି ବହରେ ସୁକବି ଭାଷ ହାରକ ନିଜର ।

ରଙ୍କ କି ତହିଁ ମୁଁ ତୁ ନିଦ ରତି ମୋ ନାଶ ଭାବେ କବିବର ।୧୪।

***

 

ପଞ୍ଚଦଶ ଛାନ୍ଦ

ଶୃଙ୍ଖଳା

(ରାଗ-ଚୋଖୀ)

 

ଆରେ ରମଣୀ ସୁରସାରସା ଚାହିଁ ତ ବରଷା

ରସାକ୍ଷୁଁ କରୁଛୁଁ ନିଶା-ଧବ-ଆନନା

ନ ନାଶ ମୋର ଭରସାରସାଳସା ମୃଦୁ ହାସା

ହାଶାନ୍ତ ମତି ତୁ ଯୋଷା-କୁଳେ ବିମନା

ମନାକ ହିଁ ନାହିଁ ମୋ ଆଗ

ଆଗ ନବୁଝି କାହିଁକି ହୋଉ ବିରାଗ ।୧।

 

ରାଗ-ପ୍ରବାଳ-ଅଧର ଧରଇ କୋପରେ ଥର

ଥର ଚଳ-ଦଳ ଦଳ ପରା ରମଣୀ

ମଣଲି ବଡ଼ ଅଧୀରାଧୀରା ମାତୁ କୋପାତୁରା

ତୂଳା ତୁଳା ଅଙ୍ଗୀ ରଙ୍ଗ ସଙ୍ଗୀତ ଗୁଣୀ

ଗୁଣିବେ ତୋ ଗୁଣ ଅଶେଷ

ଶେଷରେ ଶେଷ ନୋହିବ କେତେ ମୋ ଭାଷ ।୨।

 

 

 

ଭାଷାରେ ବାଣୀ ମାଧୁର୍ଯ୍ୟ ଧୂର୍ଜ୍ଜଟୀ-ପର-ଶଉର୍ଯ୍ୟ

ଊର୍ଜ୍ଜସ୍ଵଳ ନୋହୁ ରହୁ ମୋ ବଡ଼ପଣ

ପଣତରେ ଗଣ୍ଠି ବାନ୍ଧ ବାନ୍ଧବୀ କରି ନିର୍ବନ୍ଧ

ବନ୍ଧନ ହେଉ ତା-ଖଡ୍ଗ ଦାଢ଼ ରସାଣ

ଶାଣ ଝଳି କରିଛି ଅସି

ଅସିତ-କେଶୀ କାହିଁକି ନ ଚାହୁଁ ହସି ।୩।

 

ହଂସୀବର ସୁଗମନା ମନାନନ୍ଦେ ଅନା ଅନା

ଅନାୟାସେ କାହିଁକି ଏ କାଳ ଯାଉଛି

ଉଞ୍ଚି ଅତରେ ବସନସନମତ କଲେ ଘନ

ଘନ-କେଶୀ ପିନ୍ଧାଇବି ଭାଙ୍ଗିତ ଅଛି

ଅଛି କଉଁ ହେତୁ କହ ତା

ହତାଦର କରୁ ମୋତେ ନରେନ୍ଦ୍ର ସୁତା ।୪।

 

ସୂତାର ମୁକୁତା ହାର ହା ରତ୍ନ ଚୂଡୀ କେୟୂର

ଉରଜ ପରେ ମଣ୍ଡନ୍ତି ପରା ପଦକ

ଦକ-ଦକ କରେ ଅଙ୍ଗ ଅଙ୍ଗନା ଏ ତୋ ବିରାଗ

ରାଗ ମୁଖ ଦେଖି ମାର ମାରେ ଶାୟେକ

ଏ କଉଁ ବିବେକ ବନିତା

ନିତାନ୍ତରେ ପତିପରେ ହୋଉ କୋପିତା ।୫।

 

ପୀତାମ୍ବର ଗୋପୀଗଣ ଗଣନୀୟ ଆଚରଣ

ରଣ-ରଣରେ ତା ଗୁଣମଣି ହେଜ ତ

ଯତନେ ରାଇ ନିଶିରେ ଶିରେ ବହି ଅବନୀରେ

ନିରେଖି କରି ପକାଇ କଲେ ଚକିତ

କିତ-ବ ସେ କେମନ୍ତ ହରି

ହରି ବାସ ଯାହାକଲେ ଗୋପ ଚତୁରୀ ।୬।

 

ତୁରିତେ ପ୍ରକାଶ ମିତ ମିତହାସ ଭ୍ରୂ ରଚିତ

ଚିତ୍ତ ମୋହକୁ ନିମିତ୍ତ ହାବଭାବାଦି

ବାଦୀ କାମ ଦୀପ୍ତିସରୁ ସରୁ କଟୀରେ ନ କରୁ

କରୁଣା କାହିଁକି ମୋରେ କୃପାରସଧି

ସଧୀରରେ ଇଙ୍ଗିତେ ବୋଲ

ବୋଳଇ ତୋ ହୃଦେ ଗୋଳି ଚନ୍ଦନ ଜଳ ।୭।

 

ଜଳଇ ତନୁ ମୋରତ ରତନ ବେଣୀ ଭାଷିତ

ଶୀତଳରେ ଭାଷି ସୁଧା କଲସ ଯୋଡ଼ି

ଯୋଡ଼ି ଅଙ୍ଗେ ଢ଼ାଳି ଦିଅ ଦି ଅଙ୍ଗ ସଘନେ ରହ

ରହସ ମୁଦରେ ହୃଦରେ ମୋ ପହୁଡ଼ି

 

 

ହୁଡ଼ି ନାହିଁ ମୋ ଜାଣିବାରେ

ବାରେ ଏବେ ନିଯୁକ୍ତ କର ତୋ ସେବାରେ I୮I

 

ବାରେ ତୋ ନୟନ ବାର ବାର ମଣ୍ଡୁକୀ ବେଭାର

ଭାରତୀ ନ କହୁ ଦରହାସ ପ୍ରକାଶି

କାଶୀ ଝାସ ଫଳ ମତେ ମତ୍ତେଭଗତି ଦେ ସତେ

ଶତେଗୁଣେ ବନ୍ଧରୀତି ବିରଞ୍ଚି ନିଶି

ନିଷିକାମ ନ-ବସ ରୁଷି

ଋଷିଦମ୍ଭ-ଆରମ୍ଭ-ସ୍ତମ୍ଭନୀ ସୁକେଶୀ I୯I

 

କେ ଶିକ୍ଷା ଦେଲା ଏ ଭାବ ଭାବବତୀ ତୋ ସ୍ୱଭାବ

ଭାବନ କରୁଛି ଏତ ନୁହେ ନିଅତ

ଅନ୍ତର ଚିତ୍ତେ ବାହାର ହାର କରେ ଯେ ତାହାର

ହା, ରଚିତ କି ହୁଅଇ ଏମନ୍ତ ମତ

ମତ୍ତଗଜ ରାଜଗମନା

ମନାଘେନି ଏବେ ମନ ମାନେ ଦିଅନା I୧୦I

 

ଅନା ଯାଉଛି ଦିବସ ବସ ଭାବରେ ସାରସ

ରସ-ଆଶେ ପାଶ ପାଶ ହୋଏ ଭ୍ରମର

ମରନ୍ଦ ପିଇ ଶୟନ ଅନକୁଳ କରେ ମନ

ମନସିଜ ଶରାସନେ ସନ୍ଧୁଛି ଶର

ଶରଣ ନୋହିଲେ ନବୀନା

ବିନାଶ ହେବେ ରସିକ ସୁରତି ବିନା I୧୧I

 

ବିନାୟକ ତାତକାଣ୍ଡ-କାଣ୍ତ ଯା ନ ସହେ ଖଣ୍ଡ

ଖଣ୍ଡ କରିଦିଏ ପିଣ୍ଡ ଦଣ୍ଡ ଦଣ୍ଡରେ

ଡରେ ଯା ଗୋପ-ଅବଳା ବଳାତ୍କାରେ କାମକଳା

କଳାପେ ହେଲେ ତରଳା କରି ସ୍ନେହରେ

ହରେ ନିଜ ସୁତାକୁ ବିହି

ବିହିତ ଅବିହିତ ସେ ଜାଣଇ ନାହିଁ ।୧୨।

 

ନାହିଁ ନାହିଁ ବିନା ଆନ ଆନନ୍ଦ-କର-ବଚନ

ଚନ-ପୂର୍ବ-ର ରେ ତୋର ଶୁଣା ନ ଗଲା

ଗଳା-ରତ୍ନ ମାଳା ତୁହି ତୁ ହିମାଂଶୁ ଜିତ-ମୂହୀଁ

ମୁହିଁ ତ କଥା କହିଲି ଯେତେ ଭାସିଲା

ଶିଳାହୃଦ କରୁଛୁ କିପାଁ

କି ପାଉଛୁ ମାନୁଁ ଲାଭ ଚାରୁ ସ୍ୱରୂପା ।୧୩।

 

ରୂପାଧର-ହାସୀ କର କରଜ କାଣ୍ଡେ ପ୍ରହାର

ହାର ହେବାର ମୋହର ଯେବେ ବିଚାରୁ

ଚାରୁବେଶୀ ଗଣ୍ଡଦଂଶ ଦଶନରେ, ବାହୁପାଶ

ପାଶରେ ଅଛି ତ ଆସ ଛନ୍ଦ ରୋଷରୁ

ସ୍ଵରୁପ ଏ ସରୁ ଉଦରୀ

ଦରିଦ୍ର ମୁଁ ତୁ, ମୋର, ତ ରତନ ପରି ।୧୪।

 

ପରିହାସେ ଚନ୍ଦ୍ରମୁହୀଁ ମୁହିଁ କି ତୋତେ ଡାକଇ

କଇତବ ନୋହେ ତୁ ମୋ ଜୀବନ ସତ

ସନ୍ତତେ ତୋ ଗୁଣ ଭାବି ଭାବିନୀ ମୁଁ ଥିବି ସେବି

ସେ ବିନା ଆନ ବିଷୟେ ମନ ନୋହେତ

ହେ ତରଳ-ଖଞ୍ଜନେକ୍ଷଣେ

କ୍ଷଣେ ରସେ ରସୁ ନାହୁଁ କଉଁ କାରଣେ ।୧୫।

 

ରଣେ ଆଜି ରତି ବର ବରଷିବ ତୀକ୍ଷଶର

ଶରଣ ଜନେ ନିର୍ଦ୍ଦୟା ନିକି ବିହିତ

ହିତ କହୁଛି କିଶୋରିସୋରିଷେ ରୋଷ ନଧରି

ଧରିତ୍ରୀ-ଚାହିଁବା ସ୍ନେହ ଛାଡ଼ି ଦିଅ ତ

ଅନ୍ତରେ ଘେନି ଏ ବିଯୋଗ

ବିଯୋଗରେ ସେବିଛି ମୁଁ ଯେ ଚରଣଯୁଗ ।୧୬।

 

 

 

ଯୁଗତେ ମୁଁ ଦାସ ଆର ଆରତ କାଳେ ମୋହର

ହରଷ ମନ ତୋହର କିପାଁ ନକରୁ

କରୁଣା ନିଧି ହୋଇତ ଇତସ୍ତତଃରେ ସତତ

ତତପର କରୁଅଛୁ କଉଁ ବିଚାରୁ

ଚାରୁ ବେଶ ଦେବାକୁ କରି

କରିଛି କେତେ କାମନା ମନେ ମୋହରି ।୧୭।

 

ହରଣ ନେତ୍ରେ କଜ୍ଜ୍ୱଳ ଜଳଜ କୋଳେ ଭ୍ରସଳ

ସଂଲଗ୍ନରେ ଥିଲାପରି ହୋଇବ ତୋରା

ତୋ ରାଜୀବ କଳି କୁଚ-କୁ ଚନ୍ଦନ ଶଶିରଜ

ରଞ୍ଜନ କରନ୍ତି ଗଜଗତି ରୁଚିରା

ଚିରାଭିମତ ମୋ ସର୍ବାଂଶେ

ବାସେ ଉଞ୍ଛ ବାସେ ଭାଙ୍ଗି ପିନ୍ଧାନ୍ତି ରସେ ।୧୮।

 

ରସେ କରୁଥାନ୍ତୁ ନା, ନା ନା ନା ଚାଟୁରେ ସୁମନା

ମନାଇ ପାଦରେ ଲାକ୍ଷା ଲେଖନ୍ତି ସରୁ

ସରୁଛି ମୋ ଏ କାମନା ମନାସିବାର ନବୀନା

ବିନାୟକ-ଜନ୍ମ-ନିଶି-ଶଶୀ ଯା କରୁ

କରୁ କରୁ ଏତେ ବିନୟ

ନୟନ କୃପାରେ କିପାଁ ନ ଢ଼ାଳୁ କହ ।୧୯।

 

କହନ୍ତେ ଏ ଚାଟୁମାନ ମାନ କରି ବିସର୍ଜ୍ଜନ

ଜନମ କଲା ସେ ମନେ ସ୍ନେହ ପ୍ରକର

କରମଶେ ସ୍ମିତ ତାରତାର ବିମ୍ବାଧର ପର

ପରବେଶ ହେଲା ଗଣ୍ଡ କାଢ଼ିଲା କର

କରଇ ତା ମନେ ପ୍ରଶଂସା

ସଂସାରେ ପୀରତି ଦମ୍ପତିର ଭରସା ।୨୦।

 

ରସାର୍ଦ୍ର ନୟନ ସଞ୍ଚିଶଚୀଶ-ସମ୍ପତ୍ତି ପାଞ୍ଚି

ପାଞ୍ଚି ରଖିଥିଲା ଯାଚି ଦେଲା କାନ୍ତରେ

ତରେ ଅଙ୍ଗ ପୁଲକିଲା କି ଲାଘବେ ସ୍ନେହ ହେଲା

ହେଳା ରୀତି ନୀବିଶ୍ଳଥ କୁଚ କମ୍ପରେ

ପରେ ନେତ୍ର ବିକାରେ ଭାବ

ଭାବ ବକ୍ରଗ୍ରୀବା ଭୂରୁ ବିକାରୁ ହାବ ।୨୧।

 

ହା ବଦନ ନତି କରିକରୀ ଗାମିନୀ ଚତୁରୀ

ତୁରିତେ ଔଦାର୍ଯ୍ୟ ପରିପାଟୀ ଆଚରି

ଚରିତେ ଅପାଙ୍ଗ ଅଙ୍ଗ ଅଙ୍ଗନା କରି ତରଙ୍ଗ

ବଳୟାବଳୀରେ ରଣଝଣ ପ୍ରସାରି

 

 

ସାରି ଦେଲା କାନ୍ତ ଗିଆନ

ଆନନ୍ଦେ ଲଳିତ ଲୀଳା ପ୍ରକାଶମାନ ।୨୨।

 

ମାନସ ମୋଦରେ ଧବ ଧବଳାଂଶୁ ମୁଖେ ଭାବ

ଭାବନାରେ ଦେଇ ଚୁମ୍ବ ଭିଡିଲା ଯାଇ

ଜାଈ ଶେଯ ପଲଙ୍କରେ କରେ ଧରି ତା ଅଙ୍କରେ

କରେ ନାନା କଉତୁକ ଉରେ ଯୋଖାଇ

ଖାଇ ଅଧରରୁ ପୀୟୁଷ

ଉସତରୁ ଉରପରୁଁ ଖସାଇ ବାସ ।୨୩।

 

ବାସବ ସମ୍ପତ୍ତି ହେଲା ହେଳାଭାବେ ଭୋଗବାଳା

ବାଳାରୁଣ ଅଧର ଯା ଖଣ୍ଡେ ଦଂଶନ

ସନମତ ଭାବେ ନାହି ନାହିଁ କରୁ କରୁ ସହୀ

ସହି ନ ପାରେ ରସିକ ନୀବି ବନ୍ଧନ

ଧନବଳେ କଲା ମୋକ୍ଷଣ

କ୍ଷଣ ଉପରେ କ୍ଷଣକୁ ଦେଲା ସେ କ୍ଷଣ ।୨୪।

 

କ୍ଷଣଦା ଯାକରେ ରସି ରସିକ କୋକିଳ ଭାଷୀ

ଭାସିଗଲେ କାମରସ-ରାଶି-ବୀଚିରେ

ଚିରେ କେତେରୂପେ ବନ୍ଧ ବନ୍ଧନ କରି ନିର୍ବନ୍ଧ

ବନ୍ଧ କଲେ ଅତନୁ-ତାପ ତା ପୂର୍ଣ୍ଣରେ

ନରେ ଅତି ଅଧମବର

ବରଜନାଥଙ୍କୁ କୃପାସିନ୍ଧୁ ଉଦ୍ଧର ।୨୫।

***

 

ଷଷ୍ଠଦଶ ଛାନ୍ଦ

ବରଷା-(ପ୍ରାନ୍ତ ଯମକ)

ରାଗ-କେଦାର କାମୋଦୀ

 

ହେଲା ପ୍ରବେଶ କାନ୍ତ ବରଷାକାଳ

ଯେ କାନ୍ତ ବିହୀନ ତା ବରଷା କାଳ ଯେ

ପୂର୍ଣ୍ଣ ହୋଇଲେ ଆଶାମାନ ତମରେ

ମନୋଜରାଜ ବିଜେ ମାନ ତମରେ ଯେ ।୧।

 

ବନଦ ଘନ ଘନ ନିନଦ କରେ

ସମ୍ପୂର୍ଣ୍ଣ ହେଲେ ତଟିନୀ ନଦ କରେ ଯେ

ଦେଲା ଗ୍ରୀଷ୍ମ କାଳର ତଡିତ ପତି

ଝଟ ଝଟ ଝଟକେ ତଡିତ ପନ୍ତି ଯେ ।୨।

 

ଫୁଟେ କିଆ କଦମ୍ବ କଦମ୍ବତରୁ

ରଟେ ଭେକ ମିଥୁନ କଦ ମତ୍ତରୁ ଯେ

ଅବିରତେ ପ୍ରସରେ ଖରାଂଶୁ ଗତ

ନିବିଡ଼ ଘନୋଦରେ ଖରାଂଶୁ ଗତ ଯେ ।୩।

 

 

 

ଚନ୍ଦ୍ର ଲୁଚିଲା ମେଘେ ତାର କାତରେ

ପତି ସଙ୍ଗେ ଅଦୃଶ୍ୟ ତାରକା ତରେ ଯେ

ହୋଇଲା ବାସବ-କୋଦଣ୍ଡ ଉଦୟ

ଜଣା ନ ଗଲା ଦିନ ଦଣ୍ଡ ଉଦୟ ଯେ ।୪।

 

ପ୍ରଫୁଲ୍ଲିତ ସରସେ ସୁମନା ବର

ପ୍ରଫୁଲ୍ଲିତ ସୁରସେ ସୁମନା ବର ଯେ

ଫୁଟେ ପ୍ରବାସୀ ଜାଈ ତମାଳ ମଲ୍ଲୀ

ଫୁଟେ ପ୍ରବାସୀ ଜାଇତ ମାଳ ମଲି ଯେ ।୫।

 

ଡାକେ ଟେକେ ମୟୂର କାଳ କଣ୍ଟକ

ମଣିଲା ବିରହୀ ଏ କାଳ କଣ୍ଟକ ଯେ

କେ କାନ୍ତ ଫୁଲ ଶର-ଧରଙ୍କ ଦରେ

ଲୁଚିଲା କାନ୍ତା ପୟୋଧର-କନ୍ଦରେ ଯେ ।୬।

 

ବାଳା ଲୀଳାରେ କେଉଁ-ନାଗର ରସେ

ଘାରି ନୋହିଲା ମାର-ନାଗର ରସେ ଯେ

ମାତେ ଯଥା ମିଳିନ୍ଦବର ସାରସେ

ଦମ୍ପତି ମତ୍ତ ତଥା ବରଷା-ରସେ ଯେ ।୭।

 

 

 

ପ୍ରମାତିଲେ ନାଗରୀ ନାଗର ବରେ

ପ୍ରଫୁଲ୍ଲ ସଙ୍ଗ ଯଥା ନାଗର ବରେ ଯେ

ସ୍ତନରେ ଚିହ୍ନଦେଇ ଦଶ ନଖରେ

ଓଷ୍ଠ ଖଣ୍ଡନ ମତ୍ତେ ଦଶନ ଖରେ ଯେ ।୮।

 

ଅନ୍ତର ଘେନଇ ନବୀନା ପଲକେ

ନ ଶୁଏ କାନ୍ତହୃଦ ବିନା ପଲଙ୍କେ ଯେ

ରତି ରଙ୍ଗେ ଦୁହିଁଙ୍କ ମଦନ ସରେ

ଜ୍ଞାନ ହାରେ ରମଣୀ ମଦନ ଶରେ ଯେ ।୯।

 

ବିପରୀତେ ହୁଁ ହୁଁ ତାହାର ପଦକ

ନାଚଇ ଯା’ ହୃଦରେ ହାର ପଦକ ଯେ,

ଶୁଣି ଦେଖିଛି ଯାର ଶ୍ରୁତି-ଈକ୍ଷଣ

ତାକୁ କି ଗୁଣେ ସରି ଶ୍ରୁତି-ଈକ୍ଷଣ ଯେ ।୧୦।

 

ବନ୍ଧ ନିର୍ବନ୍ଧ ରତେ ମଜ୍ଜି ରସରେ

ପୁର ପୁରେ କିଙ୍କିଣୀ ମଞ୍ଜୀର ସ୍ୱରେ ଯେ

କର୍ଣ୍ଣକୁ କି ରୁଚଇ ହୁଁ ହୁଁ ତା ନାନା

କି ମଧୁର କି ହା ହା ହୂ ହୂ ତା ନାନା ଯେ ।୧୧।

 

ନ ରଖି ପଛେ ଆଗେ ମୁଖରେ ଭାଷି

ରସେ ଭୁଷନ୍ତେ ମଲି ମୁଖରେ ଭାଷି ଯେ

ଭିଡ଼ିଣ କାନ୍ତାକୁ ନବ ରସା-କରେ

ବସ କରି ରବେ ସେ ଭରସା- କରେ

ବସ କରି ରବେ ସେ ବରସା-କରେ ଯେ ।୧୨।

 

କରି ନାନା ଆଶେ ଆବେଶ କରନ୍ତି

ତଦନ୍ତେ ପୁଣି ଚାରୁ ବେଶ କରନ୍ତି ଯେ

ଅଙ୍ଗ କି ଶୋଭା ଦିଶେ ଦିବ୍ୟ ଭୂଷାରେ

ଉପମା ନ ମିଳେ ତ୍ରିଦିବ ଭୂଷାରେ ଯେ ।୧୩।

 

କେଳି-କଳା-ନିଧି ଏ ଗୀତର ନାମ

ଷୋଳ ଛାନ୍ଦ ଏ ଷୋଳକଳା ସୁଷମ ଯେ

ସମ୍ପୂର୍ଣ୍ଣ ମଣ୍ଡଳରେ ପ୍ରକାଶ ହୋଏ

ଉଜ୍ଜଳ ଭାବେ ଜନ ମାନସ ମୋହେ ଯେ ।୧୪।

 

ସର୍ବ ମଣ୍ଡନ ପୁଣି ହେବ ଅବଶ୍ୟ

ସୁରେ ଭୋଗ କରିବେ ଏହାର ରସ ଯେ

ଗୁଣୀ ଚକୋର ଗଣେ ରସିବେ ଭାବେ

ରସିକ କଇରବେ ପ୍ରଫୁଲ୍ଲ ହେବେ ଯେ ।୧୫।

 

ଖଳ ଶୀଳ ଅନ୍ଧାର ହେବ ଦଳନ

ମୁଦି ହେବ ଗ୍ରହଳ-ମୁଖ ନଳିନ ଯେ

ଅକଳଙ୍କ ଅକ୍ଷୀଣ ସର୍ବଦା ଏହୁ

କେହି ଦଂଶିବ ଖଳ ହୃଦୟ ରାହୁ ଯେ ।୧୬।

 

ଏ ଗୀତ କଷ୍ଟ ଶିଷ୍ଟ କବି ଜାଣିବେ

ଅପୁଷ୍ଟ ପଦ ପୁଷ୍ଟ କରି ଭଣିବେ ଯେ

ନଷ୍ଟ ଦୁଷ୍ଟଙ୍କ ଇଷ୍ଟ ଅନିଷ୍ଟ ମୂଳ

ହୃଷ୍ଟ ହୁଅନ୍ତି ଦୋଷେ ସେ କାଷ୍ଠଶୀଳ ଯେ ।୧୭।

 

ଷୋଳ ଛାନ୍ଦ ଏ ଗୀତ ଷୋଳ ପ୍ରକାର

ପ୍ରଥମ ଛାନ୍ଦେ ଆଦ୍ୟ ଯମକ ସାର ଯେ

ଦ୍ୱିତୀୟେ ଅବନାରେ ନେତ୍ର ପ୍ରଶଂସା

ତୃତୀୟ ଛାନ୍ଦ ପ୍ରାନ୍ତ-ଯମକ ଭାଷା ଯେ ।୧୮।

 

ଚତୁର୍ଥେ ପୁଷ୍ପବତୀ ଅଦ୍ଭୁତ ପଦ

ପଞ୍ଚମେ ମଧୁଶଯ୍ୟା ରସବିନୋଦ ଯେ

ଷଷ୍ଠ ପଦେ ବିରାମେ ଏକା ଯମକ

ସପ୍ତମେ କ୍ରମେ ବୃଦ୍ଧି ଶୃଙ୍ଖଳା ଟେକ ଯେ ।୧୯।

 

 

 

ନିରୋଷ୍ଠ ସୋଷ୍ଠ ଏକାକ୍ଷର ଦ୍ୱ୍ୟକ୍ଷର-

ଠାରୁ ସର୍ବ ବର୍ଣ୍ଣରେ ପଦ ବିଚାର ଯେ

ସ୍ୱରେ ଘଟନ ପଦ ମହାଯମକ

ଏକ ଶ ସ୍ୱର ବର୍ଣ୍ଣେ ପଦ କୁତୁକ ଯେ ।୨୦।

 

ଅଷ୍ଟମ ଛାନ୍ଦେ ଏତେ ରୂପେ ବସତି

ନବମେ ଆଦ୍ୟପ୍ରାନ୍ତ ଅକ୍ଷର ସ୍ଥିତି ଯେ

ଦଶମେ ନାନା ଗୁଡ଼ ଆଶୟ ନ୍ୟାସ

ଏକାଦଶେ ପୁରୁଷ ଚିଟାଉ ରସ ଯେ ।୨୧।

 

ଦ୍ୱାଦଶେ ସ୍ତ୍ରୀ ଚିଟାଉ ତ୍ରିଭଙ୍ଗୀ ଛନ୍ଦ

ତ୍ରୟୋଦଶେ ପ୍ରବାସ ବାହୁଡ଼ାନନ୍ଦ ଯେ

ଚତୁର୍ଦ୍ଦଶରେ ଅନୁଲୋମ ବିଲୋମ

ପଞ୍ଚଦଶେ ଅକ୍ଷର ଶୃଙ୍ଖଳା ଶ୍ରମ ଯେ ।୨୨।

 

ଷଟଦଶେ ବରଷା ବର୍ଣ୍ଣିତ ହୋଏ

ପାଞ୍ଚ ଅକ୍ଷରେ ପ୍ରାନ୍ତ ନିୟମ ରହେ ଯେ

ଏଥି ସର୍ବଯମକ ପଦହିଁ ଅଛି

କିଛି ହିଁ ପଦ ଦତ୍ତାକ୍ଷର ହୋଇଛି ଯେ ।୨୩।

 

ତହୁଁ ଛାନ୍ଦମାନଙ୍କ ଭାବ ବିଶେଷ

ଏତେକ ପଦ ଏଥି ହୋଇଛି ଦୃଶ୍ୟ ଯେ

ଏଠାରୁ ଛାନ୍ଦପଦ ହୋଇଲା ଶେଷ

ରସିକ ପଣ୍ତିତେ ନ ଧରିବା ଦୋଷ ଯେ ।୨୪।

 

ବର୍ଣ୍ଣରେ ଅଟୁ ଆମ୍ଭେ ଶିଷ୍ଟ କରଣ

ରଘୁ ଅରକ୍ଷିତଙ୍କ ବଂଶେ ନିପୁଣ ଯେ

ବାଲୁଙ୍କେଶ୍ୱର ପଟ୍ଟନାୟକଙ୍କର

ଭାଗ୍ୟରେ ହେଲୁଁ ଆମ୍ଭେ ଚାରି କୁମର ଯେ ।୨୫।

 

ଗୋପୀନାଥ ପଟ୍ଟନାୟକ ଅଗ୍ରଜ

ଜଗନ୍ନାଥ ନାମରେ ତାଙ୍କ ଅନୁଜ ଯେ

ବଡ଼ଜେନା ପଦ ମୋର ରାଜଦତ୍ତ

ଲୋକନାଥ ନାମରେ କନିଷ୍ଠ ଭ୍ରାତ ଯେ ।୨୬।

 

ଆମ୍ଭେ ଚାରିହେଁ କବି ଚାରି ଜାତିରେ

ସଂସ୍କୃତ ପରାକୃତ ହିନ୍ଦୁସ୍ଥାନୀରେ

ଓଡିଆ ବଙ୍ଗଳା ତେଲଙ୍ଗୀ ଭାଷାରେ

ହାସ ରସ କୌତୁକ ଉକ୍ତି ରୀତିରେ ଯେ ।୨୭।

 

 

 

ଶ୍ରୀକ୍ଷେତ୍ର-ବରେ ପୂର୍ବେ ନିବାସ ଥିଲା

ବିଧି-ବଶରେ ସେହୁ ଅନ୍ତର ହେଲା ଯେ

ତହୁଁ କେତେକାଳ ଗଲା ଓଡ଼ିଶାରେ

ଷଷ୍ଠ ପୁରୁଷ ହେଲା ଢେଙ୍କାନାଳରେ ଯେ ।୨୮।

 

ରସିକ ମାନଙ୍କର ପ୍ରମୋଦକର

ସୁରସ ପଦ ଅଟେ ଏ ଗୀତ ମୋର ଯେ

ସୁର-ସମ୍ପଦ ପ୍ରାୟେ ଚିତ୍ତେ ଆଭାଷି

ସୁଜନେ ଦୋଷ-ପଦେ ନୋହିବ ଦ୍ୱେଷୀ ଯେ ।୨୯।

 

ନୀଳାଚଳ-ନିବାସ କରୁଣାସିନ୍ଧୁ

ପାତକ-ତମ-ନାଶନ ଦୀନ-ବନ୍ଧୁ ଯେ

ଅଧମ ଉଦ୍ଧାରଣ ପତିତ ଗତି

ବ୍ରଜନାଥ ଦୀନକୁ ଦିଅ ସୁଗତି ଯେ ।୩୦।

 

ସମାପ୍ତ